ଭବନୀପାଟଣା: ଜିଲ୍ଲାରୁ ଦୁଇଜଣ ବାଘଛାଲ ବେପାରୀଙ୍କୁ ଉଠାଇ ନେଇଛି ଛତିଶଗଡ ପୋଲିସ । ବାଘଛାଲ ଚୋରାଚାଲାଣ ପାଇଁ ଅପେକ୍ଷା କରି ଥିବାବେଳେ ଛତିଶଗଡ ପୋଲିସ 2 ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଏକ ବାଇକ୍ ଜବତ କରିଛି ।
ଗିରଫ ଦ୍ବୟ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାୟକ ଓ ଗୋଳାମୁଣ୍ଡା ଥାନା ଅଧିନ ନକଟିକାନି ଗ୍ରାମର କେଶବ ମାଝୀ । ସୂଚନା ଅନୁଯାୟୀ କଳାହାଣ୍ଡିର ଏହି ଦୁଇ ବ୍ୟକ୍ତି ଏକ ବାଇକ ଯୋଗେ ବାଘଛାଲ ଧରି ଛତିଶଗଡ଼ ଦେଭୋଗ ଥାନା ଧୂପକୋଟ ଗ୍ରାମର ଏକ ପୋଖରୀ ପାଖରେ ଗ୍ରାହକକୁ ଅପେକ୍ଷା କରିଥିଲେ । କୌଣସି ସୂତ୍ରରୁ ଛତିଶଗଡ଼ ଦେଭୋଗ ପୋଲିସ ଓ ସାଇବର ଟିମ୍ ଖବର ପାଇ ସେଠାରେ ପହଁଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ଦୁଇଟି ବାଘଛାଲ ସହ ଏକ ବାଇକ ଜବତ କରିଛି ।
ତେବେ ଦେଭୋଗ ପୋଲିସ ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଛତିଶଗଡର ଗରିଆବନ୍ଧ ଏସପି ଭୋଜରାମ୍ ପଟେଲ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ତେବେ ବାଘଛାଲର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଏସପି କହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ