ଭବାନୀପାଟଣା: କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ । 8ଟି ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ଜନ୍ତୁ ଶିକାରରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ଜବତ । ଏଥିସହ ଜଣେ ଚୋରା ବନ୍ଧୁକ ମାଫିଆକୁ ଗିରଫ କରିଛି ଏସଟିଏଫ ଟିମ ।
ସୂଚନା ଅନୁଯାୟୀ, ଛତିଶଗଡ଼ ସହଜଖୋଲ ସଂରକ୍ଷିତ ଜଙ୍ଗଲରେ ଚୋରା ବନ୍ଧୁକ କାରବାର ସହ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରାଯାଉଥିବା ଛତିଶଗଡ଼ ଏସଟିଏଫ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏନେଇ ଛତିଶଗଡ଼ ଏସଟିଏଫ, କଳାହାଣ୍ଡି ବନ ବିଭାଗ ଓ ଛତିଶଗଡ ଉଦନ୍ତି ସୀତା ନଦୀ ଟାଇଗର ରିଜର୍ଭ ଆଣ୍ଟି ପୋଚିଂ ସ୍କ୍ୱାର୍ଡ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ । ତେବେ ଘଟଣାସ୍ଥଳରେ ଏହି ଟିମକୁ ଦେଖି ୪ ଜଣ ଶିକାରୀ ଫେରାର ହୋଇଥିବା ବେଳେ ଜଣେ ଚୋରା ବନ୍ଧୁକ ମାଫିଆକୁ ଗିରଫ କରିଛି ପୋଲିସ । ଏଥି ସହ ପ୍ରାୟ ୮ଟି ବନ୍ଧୁକ ସମେତ ବିପୁଳ ପରିମାଣର ଜନ୍ତୁ ଶିକାର ବ୍ୟବହୃତ ସାମଗ୍ରୀ, ମାଂସ ଓ କଙ୍କାଳକୁ ଜବତ କରିବାରେ ସଫଳ ହୋଇଛି ଛତିଶଗଡ଼ ଏସଟିଏଫ ।
ତେବେ ଗତ କିଛି ଦିନ ତଳେ ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଚୋରା ବନ୍ଧୁକ ତିଆରି ଚାଲିଥିବା ବେଳେ ଛତିଶଗଡ଼ ଏସଟିଏଫ ଟିମ ଚଢ଼ାଉ କରିଥିଲା । ୨୫ ଜଣଙ୍କ ଘରେ ଚଢାଉ ହୋଇଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚାରାଉଚରା ପରେ ଛତିଶଗଡ ନେଇଥିଲା STF ଟିମ୍ । ଚଢାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ, ବେଆଇନ ବନ୍ଧୁକ ଜବତ ହୋଇଥିଲା ।
ଜୟପାଟଣା ରେଞ୍ଜ ଅନ୍ତର୍ଗତ ମଙ୍ଗଳପୁର ଗାଁର ବିଭିନ୍ନ ସ୍ଥାନରେ ବେଆଇନ ବନ୍ଧୁକ ତିଆରି କରାଯାଇ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା । ଏନେଇ ଛତିଶଗଡ଼ STF ବିଶେଷ ସୂତ୍ରରୁ ଖବର ପାଇ କଳାହାଣ୍ଡି ବନ ବିଭାଗ ଅଧିକାରୀଙ୍କ ସହ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗ୍ରାହକ ଭାବରେ ମଙ୍ଗଳପୁର ଗାଁକୁ ଯାଇଥିଲେ । ସେଠାରେ ୨୫ ଲୋକଙ୍କ ଘରେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଓ ବେଆଇନ ବନ୍ଧୁକ ଜବତ କରିଥିବା ବେଳେ ଏଥିରେ ସାମିଲ ଥିବା ୫ ଜଣ ବ୍ୟକ୍ତିକୁ ଜୟପାଟଣା ରେଞ୍ଜ ଅଫିସକୁ ଅଣାଯାଇଥିଲା । ସେଠାରେ ପଚରଉଚରା କରାଯିବା ପରେ ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତି ତମାମ ପଚରାଉଚରା କରିଥିଲା ଛତିଶଗଡ଼ STF ।
ଇଟିଭି ଭାରତ, କଳାହାଣ୍ଡି