ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୩୩ଟି ଆସନ ଦଖଲ କରିବାରେ ସଫଳ ହୋଇଛି ବିଜେଡି । ଏହାକୁ ନେଇ କଳାହାଣ୍ଡି ବିଜେଡି ଶିବିରରେ ବିଜୟ ଉତ୍ସବ ଦେଖିବାକୁ ମିଳିଛି । ଏଠାରେ ବିଜେପିକୁ ଆଶାନୁରୂପ ଫଳ ମିଳିପାରିନାହିଁ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଳାହାଣ୍ଡିରେ ୩୩ଟି ଜୋନ ଦଖଲ କରି ପରିଷଦ ଗଠନ କରିବାରେ ସଫଳ ହୋଇଥିଲା । ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟରଙ୍କ ଆସ୍ଥା ଭାଜନ କରିବାରେ ସଫଳ ହୋଇଛି । ବିରୋଧୀଙ୍କ ବିରୋଧ ପରେ ମଧ୍ୟ ଜିଲ୍ଲାରେ କ୍ଲିନ୍ସୁଇପ କରିଛି ବିଜେଡି । ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିରେ ବିଜୟ ଉତ୍ସବ ପାଳିତ ହେଉଛି ।
ଏଥିରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରମୁଖ ଯୋଗ ଦେଇଛନ୍ତି । ଜିଲ୍ଲାର ନବ ନିର୍ବାଚିତ ୩୩ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ସଫଳତା ସହ ଆଗାମୀ ପୌର ନିର୍ବାଚନରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ନେଇ ମଧ୍ୟ ବିଜେଡି ନେତା ଓ ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ