ଭବାନୀପାଟଣା: ସ୍ବାସ୍ଥ୍ୟ ସମ୍ପର୍କୀତ ତଥ୍ୟ ସଂଗ୍ରହ ସହିତ ବର୍ତ୍ତମାନର କୋଭିଡ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି ଆଶା କର୍ମୀ ମାନେ । ତେବେ ଅତି କମ୍ ପାରିଶ୍ରମିକ, ନାମକୁ ମାତ୍ର ଭତ୍ତା ସହିତ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ଠିକ ସମୟରେ ପାରିଶ୍ରମିକ ମିଳୁନାହିଁ । ସେମାନଙ୍କ ବିଭିନ୍ନ ସମସ୍ୟା ସତ୍ତ୍ବେ ସେସବୁକୁ ପ୍ରଶାସନ ଓ ସରକାର ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଲାଞ୍ଜିଗଡ ବ୍ଲକ ଆଶା କର୍ମୀ ସଂଘ ।
ଆଜି ସଂଘର କର୍ମକର୍ତ୍ତା ମାନେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ କୋଭିଡ କଟକଣା ପାଳନ ସହିତ ସମ୍ମିଳିତ ହୋଇ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଏକ ୧୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ମେଡିକାଲ ଅଫିସରଙ୍କ ତରଫରୁ ଡା. ନିହାରରଞ୍ଜନ ସାହୁ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।
ସେହିପରି ଲାଞ୍ଜିଗଡ ବ୍ଲକ ପ୍ରଶାସନକୁ ଆଶା କର୍ମୀମାନଙ୍କୁ ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ, ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ, ସାମାଜିକ ସୁରକ୍ଷା ସହିତ ଇଏସ୍ଆଇ ଓ ଇପିଏଫ୍ ସୁବିଧା ପ୍ରଦାନ କରିବା, ମାସିକ ୧୦ ହଜାର ଟଙ୍କାର କରୋନା ସହାୟତା, ଆଶା କର୍ମୀଙ୍କ ପରିବାରକୁ ମାଗଣା ଟିକା, ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟ ପରୀକ୍ଷା ଉପଲବ୍ଧ କରାଇବା, କରୋନାରୁ ସୁରକ୍ଷା ପାଇଁ ଉପକରଣ, କୋରୋନା ପୀଡିତ ଆଶା କର୍ମୀଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପାଞ୍ଚଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଆୟକର ଦେଉନଥିବା ଆଶା କର୍ମୀଙ୍କୁ ମାସିକ ୭ ହଜାର ପାଞ୍ଚଶହ ଟଙ୍କା ଓ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦେବା ଆଦି ଦାବିରେ ଉଲ୍ଲେଖ ରହିଛି । ତୁରନ୍ତ ଏସବୁ ଦାବି ପୂରଣ କରାନଗଲେ ଆଶାକର୍ମୀମାନେ କୋଭିଡ ଡ୍ୟୁଟିରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି ।
ବର୍ତ୍ତମାନର ପରିସ୍ଥିତିରେ ଲାଞ୍ଜିଗଡ଼ ବ୍ଲକର ଗ୍ରାମାଞ୍ଚଳରେ କୋରୋନା ଆକ୍ରାନ୍ତ ସଙ୍ଗରୋଧରେ ଥିବାବେଳେ, ଟୀକାକରଣ ଅଭିଯାନରେ ମଧ୍ୟ ଆଶା କର୍ମୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏଣୁ ସେମାନଙ୍କ ଦାବି ପୂରଣ କରାନଗଲେ ଗ୍ରାମାଞ୍ଚଳରେ କୋରୋନା ଲଢେଇ ବାଟବଣା ହେବାର ସମ୍ଭାବନା ରହିଛି । ଆଜି ଦାବିପତ୍ର ପ୍ରଦାନ ସମୟରେ ଓଡିଶା ଆଶା କର୍ମୀ ସଂଘ ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ପଦ୍ମନାଭ ବିଶ୍ବାଳ, ସିଟୁର ଜିଲ୍ଲା ସଂପାଦକ ବିଶ୍ବଜିତ ଚାଟାର୍ଜୀଙ୍କ ସମେତ ଅନେକ ଆଶାକର୍ମୀ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ