ଭବାନୀପାଟଣା: ସରକାରଙ୍କ ଆନିମଲ୍ ବର୍ଥ କଣ୍ଟ୍ରୋଲ୍ ଯୋଜନାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରାଣୀ ଚିକିତ୍ସାଳୟ ପରିସରରେ ଲକ୍ଷାଧିକ ଟଙ୍କାରେ ନିର୍ମିତ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଖତ ଖାଉଛି । କେନ୍ଦ୍ରରେ ତାଲା ବି ପଡିନାହିଁ ଆଉ ବଡ଼ବଡ଼ ଗଛ ଚେର ଜମାଇଲାଣି । ସେଠାରେ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଇଛନ୍ତି । ରାତିରେ ଅନୈତିକ କାର୍ଯ୍ୟ ମଧ୍ୟ ହେଉଥିବା ବେଳେ ଏସବୁ ଦେଖ୍ ବି ବିଭାଗ ନିରବଦ୍ରଷ୍ଟା ସାଜିଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅବ୍ୟବସ୍ଥା ବର୍ଷବର୍ଷ ଧରି ଚାଲିଛି କିନ୍ତୁ, ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହେଉଛି ।
୨୦୦୮ ମସିହାରୁ ରାଜ୍ୟରେ କାମ କରୁଛି ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ । ୨୦୧୩ରେ ଏହା ରାଜ୍ୟର ବିଭିନ୍ନ ପୌରପାଳିକା ଅଞ୍ଚଳରେ ଆରମ୍ଭ କରାଯାଇଥିଲା । କୁକୁର ସଂଖ୍ୟା ନିୟନ୍ତ୍ରଣ ଲାଗି କୁକୁର ବନ୍ଧ୍ୟାକରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରାଣୀ ଚିକିତ୍ସା ବିଭାଗ ଓ ପୌରପାଳିକା ମଧ୍ୟରେ ସମନ୍ଵୟ ରଖି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର କଳାହାଣ୍ଡି ଜିଲ୍ଲାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆରମ୍ଭରୁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆଣ୍ଠେଇଛି ।
ଏବିସି ଯୋଜନାରେ ଲକ୍ଷାଧିକ ଟଙ୍କାରେ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ନିର୍ମାଣ କରାଗଲା । ଏକକାଳୀନ ୨୦ଟି କୁକୁରର ବନ୍ଧ୍ୟାକରଣ ପରେ ତାହାର ସୁରକ୍ଷା ଯୋଗାଇବା ପାଇଁ ୨୦ଟି ଚେମ୍ବର ରହିଛି । ହେଲେ ପାଞ୍ଚ ବର୍ଷରୁ ଅଧିକ ସମୟ ହେଲା ତାହା କାର୍ଯ୍ୟକ୍ଷମ ହୋଇନଥିବା ବେଳେ ସୂଚନା ଅନୁଯାୟୀ, ଏବିସି ଯୋଜନାରେ କୁକୁର ପିଛା ୫୦୦ଟଙ୍କା ଲେଖାଏଁ ଖର୍ଚ୍ଚ ଦିଆଯାଇଥାଏ । ମାସକୁ ପ୍ରାୟ ଶହେଟି କୁକୁରର ଅପରେସନ କରିବାର ଯୋଜନା ରହିଥିବା ବେଳେ କେବଳ କୁକୁର ପିଛା ମାସକୁ ୫୦ ହଜାର ଟଙ୍କା ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଥିବା ବେଳେ ଡାକ୍ତର, ସହାୟକ, ଫାର୍ମାସିଷ୍ଟ ଦରମା ସହ ଔଷଧ ଖର୍ଚ୍ଚ ରହିଛି । ହେଲେ ଜିଲ୍ଲାରେ କୁକୁରଙ୍କ ବନ୍ଧ୍ୟାକରଣ ନହେବାରୁ କୁକୁରଙ୍କ ସଂଖ୍ୟା ଉଦ୍ବେଗଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।
ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଦୈନିକ ଏକାଧିକ ଲୋକ କୁକୁର କାମୁଡାରେ ଆହତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି । କେଉଁଠି କୁକୁର କାମୁଡୁଛି ତ ଆଉ କେଉଁଠି ଗାଡ଼ି ଆଗକୁ ପଶି ଆସିବାରୁ ଚାଳକ ତଳେ ପଡ଼ି ଆହତ ହେଉଛି । ରାସ୍ତା ମଝିରେ କୁକୁରଙ୍କ ଆକ୍ରମଣ ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି । କିନ୍ତୁ, ଏବିସି ଯୋଜନା ଓ କୁକୁର ବନ୍ଧ୍ୟାକରଣ ଦିଗରେ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହାନ୍ତି । ସରକାର ସମସ୍ତ ସହଯୋଗ ଦେବାପରେ ମଧ୍ୟ କେତେଜଣ ସରକାରୀ ବାବୁଙ୍କ ମନୋବୃତ୍ତି ଅଭାବ ଯୋଗୁଁ ସରକାରୀ ଆନୁଷଙ୍ଗିକ ବ୍ୟବସ୍ଥା ଖତ ଖାଉଛି ।
ଇଟିଭି ଭାରତ,କଳାହାଣ୍ଡି