କଳାହାଣ୍ଡି: ଟ୍ରାଫିକ ନିୟନ୍ତ୍ରଣ ସହ ଦୁର୍ଘଟଣା ରୋକିବା ପାଇଁ ଚଳିତ ବର୍ଷ ଠାରୁ ସରକାର ସଡକ ସୁରକ୍ଷା ଆଇନକୁ କଡାକଡି କରିଛନ୍ତି । ଏହି ନିୟମକୁ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଉଛି କିନ୍ତୁ ଖୋଦ୍ ପୋଲିସ ପ୍ରଶାସନ ଏହି ନିୟମକୁ ଉଲଂଘନ କରି ଜନସାଧାରଣଙ୍କୁ ଅସୁବିଧାରେ ପକାଉଥିବା ଘଟଣା ସାମ୍ନାକୁ ଆସିଛି ।
ରାସ୍ତା ମଝିରେ ପୋଲିସ ପିସିଆର ଭ୍ୟାନର ବେଆଇନ ପାର୍କିଂ କାରଣରୁ ରୋଗୀ ନେଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା 108 ଆମ୍ବୁଲାନ୍ସ ଗାଡି ଅଟକି ରହିଥିଲା । ଖାଲି ଆମ୍ବୁଲାନ୍ସ ନୁହେଁ ବରଂ ଅନେକ ଯାନବାହାନ ମଧ୍ୟ ରାସ୍ତା ଉପରେ ଅଟକି ରହିଥିଲା । ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ପୋଷ୍ଟ ଅଫିସ ନିକଟ 26 ନମ୍ବର ଜାତୀୟ ରାଜପଥ ଉପରେ ଆଜି(ମଙ୍ଗଳବାର) ଜୁନାଗଡ ଥାନାର ପିସିଆର ଭ୍ୟାନ ହଠାତ କୌଣସି କାରଣ ପାଇଁ ଅଟକିଥିଲା ।
ରାସ୍ତା ମଝିରେ ଭ୍ୟାନ ଅଟକିଥିବା ଯୋଗୁଁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଏପରିକି ପଛରେ ଆସୁଥିବା 108 ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିବା କାରଣରୁ ଗହଳି ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ।
କଳାହାଣ୍ଡିରୁ ଅଜିତ୍ ସିଂହଙ୍କ ରିପୋର୍ଟ, ଇଟିଭି ଭାରତ