ଭବନୀପାଟଣା: ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କ ଗୋଟିଏ ମାସର ଦରମାକୁ ଜାଲିଆତି କରି ବିଦା ହେଲେ ଆକାଉଣ୍ଟାଣ୍ଟ୍ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକରେ ଏଭଳି ଏକ ଘୋଟାଲା ସାମ୍ନାକୁ ଆସିବା ଆକାଉଣ୍ଟାଣ୍ଟ୍ଙ୍କୁ ବହିଷ୍କାର କରାଯାଇଛି । ଦରମା ଜାଲିଆତି କରିବା ପରେ ଆକାଉଣ୍ଟାଣ୍ଟ୍ ସୁଚୀସ୍ମିତା ସୁଆର ଫେରାର ହୋଇ ଯାଇଥିଲେ(teachers salary corruption case in Bhawanipatan) ।
ଏହାକୁ ନେଇ ଏକ୍ସକ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ଶିକ୍ଷା ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଅବସରପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ, କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ ଓ ବିଆରସି ଜୟକୁମାର ମାଝୀଙ୍କୁ ଜେରା କରିଛି ଭିଜିଲାନ୍ସ ବିଭାଗ ।
ଜଣେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସୁଚୀସ୍ମିତାଙ୍କ ଦୁଇଟି ଆଲ୍ମାରୀ ଖୋଲିଛି ଭିଜିଲାନ୍ସ ବିଭାଗ । ଏହି ସମୟରେ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଖାଲି ସେତିକି ନୁହେଁ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଜବତ କରିବା ସହ ସୁଚୀସ୍ମିତାଙ୍କ ଭବାନୀପାଟଣା ସହରର ଇରିଗେସନ କଲୋନୀରେ ଥିବା ୪ମହଲା ବିଶିଷ୍ଟ ଘରକୁ ସିଲ୍ କରିଥିଲା ଭିଜିଲାନ୍ସ ବିଭାଗ ।
ଏହି ମାମାଲରେ ସୁଚୀସ୍ମିତାଙ୍କ ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ସୁଚୀସ୍ମିତାଙ୍କ ଟେର୍ ପାଉନି ପୋଲିସ । ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହାପୂର୍ବରୁ ତାଙ୍କ ଭିଣୋଇଙ୍କ ଘରୁ ଲାପ୍ଟପ୍ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା କଳାହାଣ୍ଡି ପୋଲିସ । ସୁଚୀସ୍ମିତାଙ୍କ ସମସ୍ତ ସମ୍ପତ୍ତିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।
ଇଟିଭି ଭାରତ, କଳାହାଣ୍ଡି