ଭବାନୀପାଟଣା : ସାଧାରଣତ ରାଜ୍ୟରେ ବିଜେଡି ପରେ ବିଜେପି ଦଳରେ ନେତା ଓ କର୍ମୀଙ୍କ ମିଶ୍ରଣ ପର୍ବ ବେଶୀ ଦେଖିବାକୁ ମିଳିଥାଏ । ହେଲେ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ଦଳରେ ବିଜେଡି ଓ ବିଜେପି ଦଳର ନେତା ଓ କର୍ମୀଙ୍କ ମିଶ୍ରଣ ପର୍ବକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଅବସରରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ବହୁ ସଂଖ୍ୟାରେ ବିଜେପି ଓ ବିଜେଡି କର୍ମୀ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଆଲୋଚନା ହେଉଛି ।
ଶାସକ ବିଜେଡି ଓ ବିରୋଧୀ ବିଜେପି ପ୍ରତି ଆସ୍ଥା ହରାଇ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ଜୟପାଟଣା ବ୍ଲକର ଅନେକ ବିଜେପି ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ବେଳେ ଅନେକ ସରପଞ୍ଚ, ସମିତିସଭ୍ୟ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ନୂଆକରି ଯୋଗ ଦେଇଥିବା କର୍ମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଦଳକୁ ସ୍ୱାଗତ କରିଥିଲେ ।
"ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସର ସଂଗଠନ ଆହୁରି ସୁଦୃଢ ହେବ । କାରଣ ଜିଲ୍ଲାର ଅନେକ ଯୁବ ନେତା କଂଗ୍ରେସରେ ସାମିଲ ହେବେ । ସେହପରି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ଏକ ବିରାଟ ଜନ ଆନ୍ଦୋଳନ କରିବ । ଏହା ସହ ଯୁବ ଓ ଛାତ୍ରନେତାଙ୍କୁ ଦଳରେ ସାମିଲ କରି କଂଗ୍ରେସ ପୁଣି କ୍ଷମତାକୁ ଆସିବ" ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଭକ୍ତ ଦାସ ।
ଇଟିଭି ଭାରତ, କଳାହାଣ୍ଡି