କଳାହାଣ୍ଡି: କୋକସରା ଥାନା ଅନ୍ତର୍ଗତ ବେହେରାଗୁଡ଼ା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଘୁମୁରା କଳାକାରଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଜୟପାଟଣା ଥାନା ଅନ୍ତର୍ଗତ ଲୁହାବାହାଲ ଗ୍ରାମର କନ୍ଦର୍ପ ମୁଣ୍ଡା (୩୨) କୋକସରା ଥାନା ଅଧିନସ୍ଥ ବେହେରାଗୁଡ଼ା ଘୁମୁରା ଦଳରେ ନୃତ୍ଯ ପରିବେଷଣ କରିବା ସହ ଉକ୍ତ ଗ୍ରାମରେ ରହୁଥିଲେ ।
ସୂଚନା ମୁତାବକ, ସୋମବାର ଅପରାହ୍ନରେ ହଠାତ ଘର ଝରକାକୁ ଛୁଇଁବା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ଯୁ ବରଣ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ଯ ମୃତ ବ୍ଯକ୍ତିଙ୍କ ସ୍ତ୍ରୀ, ପୁଅ ଝିଅ ସହିତ ଶବ ନିକଟରେ ବସି କ୍ଷତିପୂରଣ ପାଇଁ ଅଡି ବସିଥିଲେ । ଫଳରେ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଶବ ପଡିରହିଥିଲା ।
ମୃତ ବ୍ଯକ୍ତିଙ୍କ ପରିବାର ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ଲାଗି ରହିଥିଲା । ପରେ ଘୁମୁରା ଦଳ କମିଟି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ପରେ ଘଟଣା ସ୍ଥଳରୁ କୋକସରା ପୋଲିସ ଶବ ଉଦ୍ଧାର କରିବା ସହ ବ୍ଯବଛେଦ ପାଇ କୋକସରା ମେଡିକାଲ ପଠେଇଥିଲେ । ଏ ନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ୨୧/୧୯ ଦାୟର କରି ତଦନ୍ତ ଚଲାଇ ଥିବା ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ