ଭବାନୀପାଟଣା: ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ପଛୁଆ ବର୍ଗ ଜାତି ସମୂହ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ଆଉ କିଛି ମାସ ବାକିଥିବା ବେଳେ ଗତ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇଛି ପଦବୀ ସଂରକ୍ଷଣ ଚିଠା ତାଲିକା । ଏହି ତାଲିକାରେ ପଛୁଆ ବର୍ଗଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସଂରକ୍ଷଣ ତାଲିକାରେ ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ଆସନ ଓ ୧୩ ଗୋଟି ବ୍ଲକ ଅଧ୍ୟକ୍ଷ ପଦବୀରେ ଜଣେ ମଧ୍ୟ OBC ବର୍ଗଙ୍କୁ ସ୍ଥାନ ଦିଆଯାଇନଥିବା ବେଳେ ପଞ୍ଚାୟତ ଗୁଡିକରେ ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀରେ ମଧ୍ୟ OBC ବର୍ଗଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ।
ଏହାକୁ ବିରୋଧ କରି ସୋମବାର କଳାହାଣ୍ଡି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ। ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ