ଝାରସୁଗୁଡା : ପାନ ମସଲା ଗୋଦାମରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ଲକଡାଉନ-୨ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ଼ ଲାଇନ ଜାରି କରିଛନ୍ତି । ଏନେଇ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା ନିଆଯାଉଛି । ଏହାସହ ପାନ ମସଲା, ଗୁଟଖା ଓ ତମାଖୁ ବିକ୍ରିକୁ ନିଷେଧ କରାଯାଇଛି । ହେଲେ କିଛି ଅସାଧୁ ଦୋକାନୀ ଏହାର ଲାଭ ଉଠାଇବାକୁ ଯାଇ ଚଢା ଦରରେ ପାନ ମସଲା ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।
ବେଆଇନ ପାନ ମସଲା ବିକ୍ରି ଅଭିଯୋଗରେ ରବିବାର ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଗାନ୍ଧିଛକ ସ୍ଥିତ ପ୍ରୀତି ପାନ ମସଲା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା । ଏହାସହିତ ଦୋକାନ ମାଲିକଙ୍କ ଇଟାଭଟା ସ୍ଥିତ ବାସଭବନରେ ମଧ୍ୟ ଚଢାଇ କରାଯାଇ ଉଭୟ ସ୍ଥାନରୁ ମୋଟ ୪୦ ବସ୍ତା ପାନ ମସଲା, ସିଗାରେଟ, ଗୁଟଖା ତଥା ପାନ ଜାତ ଦ୍ରବ୍ୟ ପୋଲିସ ଜବତ କରିଛି ।
ଏହି ଘଟଣାରେ ପୋଲିସ ଦୋକାନ ମାଲିକ ପଦ୍ମଲୋଚନ ବୁଦ୍ଧିଆକୁ ଅଟକ ରଖିଛି । ଏହି ଚଢ଼ାଉରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ, ଏସଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ଅଛନ୍ତି ।
ଏହାପରେ ସେଲ ଟାକ୍ସ ଜିଏସଟି ବିଭାଗର ଡେପ୍ୟୁଟି କମିଶନର ସୁବୋଧ ପଣ୍ଡା ପହଞ୍ଚି ଜବତ ସାମଗ୍ରୀର ଯାଞ୍ଚ କରୁଛନ୍ତି । ସେପଟେ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବ୍ରଜରାଜନଗର ପୋୖରାଞ୍ଚଳର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ