ଝାରସୁଗୁଡା: ପୋଲିସକୁ ବଡ଼ ସଫଳତା । ସାରାରାଜ୍ୟ ବୁଲି ବୁଲି ବାଇକ ଡିକି ଭାଙ୍ଗି ଚୋରି କରୁଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗର 3 ସଦସ୍ୟଙ୍କୁ ଝାରସୁଗୁଡା ପୋଲିସ ଧରିବାରେ ସଫଳ ହୋଇଛି । ପୋଲିସ ଯାଞ୍ଚ ବେଳେ ହାବୁଡରେ ପଡିଯାଇଥିଲେ ଉକ୍ତ ଲୁଟେରା । ଆଉ ସେମାନଙ୍କୁ ସହଜରେ ଧରିପକାଇଥିଲା ପୋଲିସ ।
ସୂଚନା ଅନୁସାରେ ମଟର ସାଇକେଲର ଡିକି ଭାଙ୍ଗି ଚୋରି କରୁଥିବା ସଦସ୍ୟମାନେ ଦୁଇଟି ମଟର ସାଇକେଲରେ ଯାଉଥିଲେ । ଏହି ସମୟରେ ପୋଲିସ କରୁଥିବା ଯାନବାହନ ଯାଞ୍ଚ ସମୟରେ 4 ଜଣ ପୋଲିସ ହାବୁଡ଼ରେ ପଡ଼ିଯାଇଥିଲେ । ହେଲେ ଲୋକଙ୍କ ଭିଡ଼ ହେବାରୁ ଜଣେ ଘଟଣାସ୍ଥଳରୁ ଦୌଡ଼ି ଫେରାର ହେବାରେ ସଫଳ ହୋଇଥିଲା । ଧରାପଡିଥିବା 3 ଜଣଙ୍କ ଠାରୁ 90 ହଜାର ଟଙ୍କା ସହ 6ଟି ମୋବାଇଲ, 3ଟି ମଟର ସାଇକେଲ ଓ ଲୁହାରେ ତିଆରି ହୋଇଥିବା ଡିକି ଭାଙ୍ଗିବା ଚାବି ଜବତ କରିଛି ପୋଲିସ ।
ଏହି ଗ୍ୟାଙ୍ଗର ସଦସ୍ୟମାନେ ସୁନ୍ଦରଗଡ, ବରଗଡ଼, ଦେବଗଡ଼, ପଟଣାଗଡ଼, ରାଉଲକେଲା, ସମ୍ବଲପୁର, ସୋନପୁର, ବଲାଙ୍ଗିର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଇ ଚୋରି କରୁଥିବା ଜଣାପଡିଛି । ନିକଟରେ ହୋଇଥିବା ସୁନ୍ଦରଗଡ ସୁନାରୀପଡାଠାରେ ଦୁଇ ବାଇକ ଯୋଗେ ଯାଇ ଜଣେ ବ୍ୟକ୍ତିଙ୍କ ଗାଡିରୁ ଡିକି ଭାଙ୍ଗି 1 ଲକ୍ଷ 10 ହଜାର ଲୁଟି ନେବାରେ ସକ୍ଷମ ହୋଇଥିଲେ ଏମାନେ। ଧରାପଡିଥିବା 3 ସଦସ୍ୟ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ବୋଲି ଜଣାପଡିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ