ଝାରସୁଗୁଡା: ଜିଲ୍ଲାର ଲଖନପୁର ବ୍ଲକର ପଞ୍ଚଗାଁର ମହାସିଙ୍ଘ ଛକରେ ଏକ ଦୁର୍ଘଟଣାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକମାନେ 49 ନମ୍ବର ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢେ 9ଟା ସମୟରେ ଛତିଶଗଡରୁ ମୃତକ ବାଇକରେ ନିଜ ସଂପର୍କୀୟଙ୍କ ଘରୁ ପଲସଦା ଗାଁକୁ ବାଇକରେ ଫେରୁଥିବା ବେଳେ ପଞ୍ଚଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦୁର୍ଘଟଣାରେ ଅଜଣା ଗାଡି ଧକ୍କା ହୋଇ ପ୍ରାଣ ହରାଇଥିବା ମୃତକ ଗୁରୁଦେବ ବଞ୍ଜାରା ବୋଲି ଜଣାପଡିଛି । ତେବେ ଶନିବାର ସକାଳ ସମୟରେ ଗୁରୁଦେବଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ବ୍ୟବଚ୍ଛେଦ ହେବା ପରେ ପଲସଦା ଓ ନାଏକପଡାର ଲୋକେ 49 ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାସ୍ତାରୋକ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ରେଙ୍ଗାଲୀ ପୋଲିସ ଓ ଲଖନପୁର ତହସିଲଦାର ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ସେମାନେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ମାଲିକଙ୍କୁ ହାଜର କରିବାକୁ ଦାବୀ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ