ଝାରସୁଗୁଡା: ଲଣ୍ଡନ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ଦି ଜେନରେ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଉଥିବା କୋଭିଡ-୧୯ ଟୀକାର ମାନବୀୟ ପରୀକ୍ଷଣରେ ସମ୍ବଲପୁର ଅଙ୍କନ ନାଏକ ସ୍ବେଚ୍ଛାକୃତ ଭାବେ ଅଂଶ ଗ୍ରହଣ କରିଛନ୍ତି । ଗତ ଶନିବାର ସମ୍ପୂର୍ଣ୍ଣ ସ୍କ୍ରିନିଂ ପରେ ତାଙ୍କଠାରେ ଟୀକା କରଣ କରାଯାଇଛି ।
ଏହି ମାନବୀୟ ପରୀକ୍ଷଣରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ 10 ହଜାର ଲୋକଙ୍କଠାରେ ଏହି ଟିକାର ପରୀକ୍ଷଣ କରାଯାଉଛି । ଏହା ସଫଳ ହେଲେ ନିକଟ ଭବିଷ୍ୟତରେ କୋରୋନା ଭଳି ମହାମାରୀର ପ୍ରତିକାର ପାଇ ଟୀକା ଉତ୍ପାଦନ ଆରମ୍ଭ ହୋଇ ପାରିବ । ସୂଚନାନୁସାରେ ଏହି ସଂସ୍ଥା ଭାରତର ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ସହ ଉନ୍ନତ ଓ ବିକାଶଶୀଳ ଦେଶରେ ଟୀକା ଉତ୍ପାଦନ ପାଇଁ ଅନୁମୋଦିତ ହୋଇଛି ।
ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟି ଓ ଭାରତର ପୁନେ ସ୍ଥିତ ଏକ ଔଷଧ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ମିଳିତ ଭାବରେ କୋରୋନା ଟୀକାକୁ ନେଇ ଗବେଷଣା କରୁଛନ୍ତି । ସଂପ୍ରତି ଫେଜ୍-୨ ଓ ଫେଜ୍-୩ ଏକାସାଙ୍ଗରେ ଚାଲୁଥିବାବେଳେ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ କୋରୋନା ଟୀକା ପ୍ରସ୍ତୁତ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି । ଅଙ୍କନ ନାଏକ ଏହି ଟୀକା ପରୀକ୍ଷା ପାଇଁ ସ୍ବେଚ୍ଛାସେବୀ ସାଜିଛନ୍ତି । କୋରୋନା ନିମନ୍ତେ ଗବେଷଣାଧୀନ ଟୀକା ନିଜ ଦେହରେ ନେଇଛନ୍ତି । ଅଙ୍କନଙ୍କ କହିବା ଅନୁସାରେ ଅକ୍ସଫୋର୍ଡ ପକ୍ଷରୁ ୧୦ ହଜାର ଟୀକା ପରୀକ୍ଷା ନିମନ୍ତେ ୧୦ ହଜାର ସ୍ବେଚ୍ଛାସେବୀ ଆବଶ୍ୟକ । ଏଥିପାଇଁ ସେ ଜାଣିବା ପରେ ନିଜ ପକ୍ଷରୁ ଆଗ୍ରହ ପ୍ରକାଶ କରିଥିଲେ । ଏବେ ସେମାନେ ଦେଇଥିବା ଫର୍ମାଟରେ ନିଜ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଅନ୍ଲାଇନରେ ପ୍ରତିଦିନ ରିପୋର୍ଟ ପଠାଉଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଙ୍କନ ଗତ ପାଞ୍ଚବର୍ଷ ହେବ ଲଣ୍ଡନ ରହୁଛନ୍ତି ଏବଂ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଅଙ୍କନ ହେଉଛନ୍ତି ପୂର୍ବତନ ସିଡିଏମ୍ଓ (ଝାରସୁଗୁଡା) ଡ. ବିନୋଦ ନାଏକଙ୍କ ପୁଅ । ଅଙ୍କନଙ୍କ ବାପା ଓ ମା ଏବେ ସମ୍ବଲପୁର ଉପକଣ୍ଠସ୍ଥ ମାଝୀପାଲି ଠାରେ ଅବସ୍ଥାନ କରୁଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ