ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ମାସେରୁ ଅଧିକ ସମୟ ବିତିଲାଣି । ଦିନ ବିତୁଛି ସିନା ହେଲେ ଏବେ ବି ଅସ୍ପଷ୍ଟ ହତ୍ୟାକାଣ୍ଡ ପଛର କାରଣ । କ'ଣ ପାଇଁ ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ହତ୍ୟା କଲା ତାହାର ଉତ୍ତର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପାଖରେ ବି ନାହିଁ । ପୋଲିସ କେବଳ ଗୋପାଳକୁ ତଦନ୍ତ ପରିସରଭୁକ୍ତ କରିଥିବାବେଳେ ତଦନ୍ତ ପ୍ରକ୍ରିୟା ଉପରେ ବିରୋଧି ସନ୍ଦେହ ପ୍ରକାଶ କରୁଛନ୍ତି । ଏସବୁ ଭିତରେ ତଦନ୍ତ ପ୍ରକ୍ରିୟା ନେଇ ମୁହଁ ଖୋଲିଛନ୍ତି ଦିବଙ୍ଗତ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ । ତଦନ୍ତ ବିଳମ୍ବ ହୋଇଥିବା ଦୀପାଳି କହିଛନ୍ତି ।
ଆଜି ବିଜୁ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଦୀପାଳି ଦାସ ବଡମାଳ ଆସିଥିଲେ । ଏହି ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗଣାମାଧ୍ୟମର ପ୍ରଶ୍ନରେ ଦୀପାଳି କହିଛନ୍ତି, ''ମୁଁ ଜାଣିଛି ତଦନ୍ତକୁ ଅଧିକ ସମୟ ହେଲାଣି । କିନ୍ତୁ ଯେତେ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାର ଶେଷ ନିଷ୍ପତ୍ତି ଦେବନି ଆମେ କିଛି କହିପାରିବୁନି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୁରା ଭରସା ଅଛି । ବାପା ଯିବା ପରେ ତାଙ୍କର ଆଶୀର୍ବାଦ ଆମ ଉପରେ ଅଛି । ଏଭଳି ସଙ୍କଟ ସମୟରେ ଆମ ପରିବାର ସହିତ ଛିଡା ହୋଇଛନ୍ତି । ମୋ ବାପାଙ୍କୁ ଓ ମୋ ପରିବାରୁ ନ୍ୟାୟ ମିଳିବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ।''
ନବ ଦାସଙ୍କ ଦେହାନ୍ତ ପରେ ତାଙ୍କର ଝିଅ ଦୀପାଳି ଦାସ ଉପନିର୍ବାଚନରେ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ଭରସା କରିବେ ସେ ବାପାଙ୍କ ସ୍ଥାନ ନେବେ । ଆମ ପରିବାର ତାଙ୍କୁ ସମର୍ଥନ କରିବୁ । ମୁଁ ଆଗରୁ ଲୋକସେବାରେ ଥିଲି ଓ ରାଜନୀତି ସହିତ ଏହାର ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।
ଆଜି ଝାରସୁଗୁଡା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ସମେତ ବିଜେଡିର ବହୁ ବରିଷ୍ଠ କର୍ମୀମାନେ ବଡ଼ମାଳ ସ୍ଥିତ ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି ।
ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ଗର୍ବ । ସେ କେବଳ ଓଡିଶାରେ ସୀମିତ ନଥିଲେ ସାରା ବିଶ୍ୱ ତାଙ୍କ ପରାକ୍ରମ ଦେଖିଛି l ପ୍ରତ୍ୟେକ ଓଡ଼ିଆଙ୍କୁ ଏକଜୁଟ କରିବା, ମଜବୁତ କରିବା ଓ ତାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ପଟ୍ଟନାୟକ ସବୁବେଳେ ଚେଷ୍ଟା କରିଥିଲେ । ଓଡିଶା ତଥା ଭାରତବାସୀଙ୍କ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ତେଣୁ ସେ ଚିର ସ୍ମରଣୀୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜିର ଦିବସକୁ ଲୋକସେବା ଦିବସ ଭାବରେ ପାଳନ କରୁଛୁ ବୋଲି ଅଳକା ମହାନ୍ତି ଏବଂ ଦୀପାଳି ଦାସ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା