ଝାରସୁଗୁଡ଼ା: ବସ୍ଷ୍ଟାଣ୍ଡ ଶୁଖୁଆ ଗୋଦାମ ଗଳି ନିକଟସ୍ଥ ଏକ ଭଡ଼ାଘରେ ଜଣେ ବ୍ୟକ୍ତି ନିଜେ ନିଜ ବେକକୁ କାଟି ଆତ୍ମହତ୍ୟା କରିଛନ୍ତି । ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କ ନାଣ ସନ୍ଦୀପ କୁମାର ସିଂ ବୋଲି ଜଣାପଡ଼ିଛି । ଶୁକ୍ରବାର ପ୍ରାୟ ଦିନ ୧୦ଟା ୩୦ମିନିଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟ ତାଙ୍କ ଘର କବାଟ ପିଟିଥିଲେ । ହେଲେ ସନ୍ଦୀପ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ ।
ଏହାପରେ ସନ୍ଦୀପଙ୍କ ସମ୍ପର୍କୀୟ ଘର ମାଲିକଙ୍କୁ ଏ ବିଷୟରେ ଜଣାଇଥିଲେ । ଘର ମାଲିକ କବାଟ ଭାଙ୍ଗି ଦେଖିବା ପାଇଁ କହିଥିଲେ । କବାଟ ଭାଙ୍ଗି ଘର ଭିତରକୁ ପଶିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ଦୀପଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମଳିଥିଲା ।
ଏହାକୁ ନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହ କାରଣରୁ ନିଜ ବେକକୁ ଏକ ଧାରୁଆ ଛୁରୀରେ କାଟି ସନ୍ଦୀପ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ