ଝାରସୁଗୁଡ଼ା: ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଉଡାଣ ଉତ୍ସବରେ ଝାରସୁଗୁଡା ବିମାନ ବନ୍ଦରରେ ମୋଟ ୪୮ ଜଣଙ୍କୁ ମାଗଣା ଉଡିବାର ସୁଯୋଗ ମିଳିଛି ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡାଣ ଉତ୍ସବ ପାଳନ ଅବସରରେ କୋଭିଡରେ ପିତାମାତାଙ୍କୁ ହରାଇଥିବା ୮ ଜଣ ଅସହାୟ ଶିଶୁ, ଠକ୍କର ବାପା ସେବାସଦନର ୧୮ ଜଣ ଶିଶୁ , ୧୯ ଜଣ ବରିଷ୍ଠ ନାଗରିକ ଏବଂ ୩ଜଣ ଦିବ୍ୟାଙ୍ଗଙ୍କୁ ମିଶାଇ ମୋଟ 48 ଜଣଙ୍କୁ ମାଗଣାରେ ବିମାନରେ ଉଡିବାର ସୁଯୋଗ ମିଳିଛି । ଜୟ ରାଇଡ଼ର ଯୋଜନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିମାନରେ ଉଡ଼ିବାର ସୁଯୋଗ ମିଳିଛି ।
ସର୍ବଭାରତୀୟ ସ୍ତରରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଡ଼ାଣ ଉତ୍ସବ ଆୟୋଜନ କରିବାର ଦାୟିତ୍ୱ ମିଳିଥିଲା । ଯାହାକୁ ସଫଳତାର ସହିତ ଆୟୋଜିତ ମଧ୍ୟ କରାଯାଇଥିଲା । ଅସହାୟଙ୍କୁ ବିମାନରେ ଉଡ଼ିବାର ସୁଯୋଗ ଦେବା ଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଯାହା ଏକ ପ୍ରଶଂସନୀୟ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ତେବେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଭରି ହୀରାକୁଦ ବନ୍ଧ ଉପରେ ଅଧ ଘଣ୍ଟା ଉଡିବା ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲେ । ଅସହାୟ ଶିଶୁ ଓ ବରିଷ୍ଠ ନାଗରିକ ବିମାନରେ ଉଡ଼ି ପାରିବାରୁ ବହୁତ ଖୁସି ଅନୁଭବ କରିଛନ୍ତି । ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ