ଝାରସୁଗୁଡ଼ା: ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ହାତରେ ରହିଲା ଆଉ କେଇଟା ଦିନ । ପ୍ରଚାର ମୈଦାନକୁ ଓହ୍ଲାଇବେ ଟପ ନେତା । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ଲୋକଙ୍କୁ ମାଗିବେ ଭୋଟ । ତିନି ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ଦିନକୁ ଦିନ ବଢୁଛି ରାଜନୈତିକ ପାରଦ । ଏପଟେ ଝାରସୁଗୁଡ଼ା ବ୍ୟାଟେଲ୍ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ଆରମ୍ଭ ହୋଇଛି ଗ୍ରାଉଣ୍ଡୱାର୍କ । ନବୀନ ସରକାରଙ୍କ ଜନକଲ୍ୟାଣକାରୀ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଣ ନେଇଛି ବିଜେଡି ।
ଜନସାଧାରଣଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥିନୀ ଦିପାଳୀ ଦାସ । ସେ ଆହୁରି ମଧ୍ୟ କହିଛନ୍ତି," ଓଡ଼ିଶାବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ କିଛି କରିଛନ୍ତି । ସରକାରଙ୍କ ଜନକଲ୍ୟାଣକାରୀ ନୀତିକୁ ନେଇ ଜନସାଧାରଣଙ୍କ ପାଖକୁ ଯିବୁ । ସେମାନଙ୍କ ସମସ୍ତ ସୁବିଧା ଅସୁବିଧା ବୁଝିବୁ । କୌଣସି ସୁବିଧାରେ ଲୋକେ ଯେପରି ବଞ୍ଚିତ ନ ହୁଏନ୍ତି, ସେଥିପାଇଁ କାମ କରିବୁ ।" ସେପଟେ ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାରକୁ ବିଜେଡି ସରକାର ଛଡାଇ ନେଇଥିବା କହିଛନ୍ତି ଟଙ୍କଧର ।
ଝାରସୁଗୁଡ଼ାର ତିନୋଟି ବ୍ଲକ କୁଲାବିରା, ଲଇକେରା ଏବଂ କିର୍ମିରା ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାବେଳେ ସେମାନଙ୍କ ପ୍ରତି ବିଜେଡି ସରକାର ଅନ୍ୟାୟ କରିଥିବା କହିଛନ୍ତି । କିଛି ବର୍ଷ ଧରି ଏହି ବ୍ଲକକୁ ଆଇଟିଡିଏ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ଉଠିଥିଲା । କେନ୍ଦ୍ର ସରକାର ଏଥିରେ ମୋହର ମାରିବା ସତ୍ତ୍ବେ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରୁନାହାନ୍ତି । ଯାହା ଫଳରେ ଲୋକେ ନିଜ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି । ଆଗାମୀ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ଟଙ୍କଧର । ଉଭୟ ବିଜେପି ଓ ବିଜେଡି ନଜରରେ ଏହି ତିନୋଟି ବ୍ଲକ ରହିଛି । ଏହି ଅଞ୍ଚଳର ଭୋଟ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟାଣୁଆ ନେତାମାନେ ବ୍ଲକ ବ୍ଲକ ଯାଇ କର୍ମୀଙ୍କୁ ଏକଜୁଟ କରୁଥିବା ନଜର ଆସିଛି ।
ପ୍ରକାଶ ଥାଉକି, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତିନି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ପ୍ରଚାର ମୈଦାନକୁ ଓହ୍ଲାଇ ନଥିବା ସତ୍ତ୍ବେ ରଣନୀତି ଆରମ୍ଭ ହୋଇସାରିଛି । ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟରେ ଶାସକ ଦଳ ଆଗରେ ରହିଛି । ତେବେ କାହା ଦଖଲକୁ ଝାରସୁଗୁଡ଼ା ଯିବ ତାହା ଜନାଦେଶରେ ହିଁ ଜଣାପଡ଼ିବ ।
ଇଟିଭି ଭାରତ, ଝାରସୁଗୁଡ଼ା