ଝାରସୁଗୁଡ଼ା: ସୁନା ଦୋକାନରୁ ଚୋରି ଅଭିଯୋଗରେ ମ୍ୟାନେଜରଙ୍କୁ ଅମାନୁସିକ ମାଡ଼ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ମ୍ୟାନେଜରଙ୍କ ମୃତ୍ୟୁ (jewellery shop manager murder )। ଝାରସୁଗୁଡ଼ା ଟାଉନ୍ର ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଅଭିଯୋଗ ହେବା ପରେ ପୋଲିସ ସୁନା ଦୋକାନର ମାଲିକ ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଝାରସୁଗୁଡ଼ା ଟାଉନ୍ର ଓଡ଼ିଶୀ ଗହଣା ଦୋକାନରୁ ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଚୋରି ହୋଇଥିଲା । ଏହାକୁ ନେଇ ଦୋକାନରେ କାର୍ଯ୍ୟରତ ମ୍ୟାନେଜର ସୁରେଶ ପାଣ୍ଡେଙ୍କ ଉପରେ ସନ୍ଦେହ କରିଥିଲେ ଦୋକାନ ମାଲିକ । ଯାଞ୍ଚ ବେଳେ ତାଙ୍କ ନିକଟରୁ ଏକ ପ୍ରାଇସ୍ ଟ୍ୟାଗ୍ ମଧ୍ୟ ପାଇଥିଲେ । ଅଗଷ୍ଟ ୮ ତାରିଖରେ ଏହି ଘଟଣା ଘଟିଥିଲା । ଏହାପରେ ତାଙ୍କୁ ସୁନା ଫେରାଇବାକୁ ମାଲିକ ଓ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଅଗଷ୍ଟ ୯ ତାରିଖରେ ତାଙ୍କୁ ପୋଲିସ ଜିମାରେ ଦିଆଯାଇଥିଲା ।
ତେବେ ଦୋକାନ ମ୍ୟାନେଜର ସୁରେଶ ପାଣ୍ଡେଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବୁର୍ଲା VIMSARକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୋଗ ପାଇବା ପରେ ଗହଣା ଦୋକାନ ମାଲିକ ନବନୀତ ସରୌଗୀ ଓ ଦୁଇ କର୍ମଚାରୀ ମେଘନାଦ ପଟେଲ, ମହେନ୍ଦ୍ର କିଶାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।