ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବାରମ୍ବାର ବିମାନ ବାତିଲକୁ ନେଇ ଅସନ୍ତୋଷ ଜାରି ରହିଛି । ବିମାନବନ୍ଦରରେ ଆଇଏଲଏସ ଯନ୍ତ୍ର ଲାଗିନଥବାରୁ ବିମାନ ବାତିଲ ହେଉଥିବା କୁହାଯାଇଛି । ବର୍ଷା ଦିନେ ଏହି ସମସ୍ୟା ଆହୁରି ଗୁରୁତର ହେବ । ଏ ସମସ୍ତ ବିଷୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ ମାଧ୍ୟମରେ ଖୁବଶୀଘ୍ର ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡି ସିଷ୍ଟମ(ଆଇଏଲଏସ) ସରଞ୍ଜାମ ଲଗାଇବା କଥା କହିଛନ୍ତି ।
ଏହାସହ ବର୍ତ୍ତମାନ ସମୟରେ ଡେଭଲପର୍ ଭେରି ହାଇ ଫ୍ରିକ୍ବେନ୍ସି ଓମ୍ନି ରେଞ୍ଜ(ଡିଭିଓଆର) ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ ଡିଜିସିଏ ଦ୍ବାରା ଅନୁମୋଦିତ ହୋଇଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହାର କାମ ସରିବ । ଏହାସହ ଡିସେମ୍ବର ସୁଦ୍ଧା 5.5 କୋଟି ମୂଲ୍ୟର ଆଇଏଲଏସ୍ ସରଞ୍ଜାମ ଲଗାଯିବ । ରାୟପୁର ଓ ରାଞ୍ଚିକୁ ସିଧାସଳଖ ଯାତ୍ରା ପାଇଁ ଝାରସୁଗୁଡା ବିମାନବନ୍ଦରର ଗୁରୁତ୍ବ ସର୍ବାଧିକ । ଏହି ବିମାନବନ୍ଦର ସବୁ ପାଗ ଅନୁକୂଳ ହେଲେ ପଶ୍ଚିମ ଓଡିଶାର ବିକାଶରେ ବିଶେଷ ସହାୟକ ହୋଇପାରିବ ।
ବୀର ସୁରେନ୍ଦ୍ର ସାଏ ଝାରସୁଗୁଡ଼ାର ନିର୍ଦ୍ଦେଶକ ମଧ୍ୟ କହିଛନ୍ତି ବିମାନବନ୍ଦରରେ ବିମାନ ଚଳାଚଳ ନେଇ ଯେଉଁ ଅସୁବିଧା ହେଉଥିଲା, ତାହା ଆଗକୁ ନ ହେବା ପାଇଁ ଝାରସୁଗୁଡ଼ା ବିମାନବନ୍ଦରରେ ଆଇଏଲଏସ ଲାଗିବା ନେଇ ସମସ୍ତ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ବିମାନବନ୍ଦରରେ ବାରମ୍ବାର ବିମାନ ବାତିଲକୁ ନେଇ ବିଧାନସଭାରେ ସୋମବାର ଉଦ୍ବେଗ ପ୍ରକାଶ କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ସୋମବାର ଶୂନ୍ୟକାଳରେ ସେ କହିଥିଲେ, ଝାରସୁଗୁଡା ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜମି ଓ ପାଣି ଯୋଗାଇ ଦେଲେ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ବିମାନବନ୍ଦରର ଉଦଘାଟନ କଲେ । କିନ୍ତୁ ଭିଜିବିଲିଟି ନାହିଁ ବୋଲି କହି ଘଣ୍ଟାଏ ପୂର୍ବରୁ ବିମାନ ଚଳାଚଳ ବାତିଲ୍ ସଂପର୍କରେ ଘୋଷଣା ହେଉଛି । କାଳବୈଶାଖୀ ,ବର୍ଷା, କୁହୁଡି ହେଲେ ବିମାନ ସୁରୁଖୁରୁରେ ଲ୍ୟାଣ୍ଡିଂ କରିବା ପାଇଁ ଯେଉଁ ବ୍ୟବସ୍ଥା ହେବା କଥା ତାହା ହେଉନାହିଁ । ସରକାର ଏଥିପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କଲାପରେ ଝାରସୁଗୁଡ଼ା ବିମାନବନ୍ଦରରେ ଆଇଏଲସ ଖୁବଶୀଘ୍ର ଲାଗିବା ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ କରିଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ