ଝାରସୁଗୁଡା: ମୃତକଙ୍କ ନାମରେ ଦ୍ବିତୀୟ ଡୋଜ କୋଭିଡ ଟୀକା। ଏଭଳି କୋଭିଡ ପ୍ରମାଣପତ୍ର ମଧ୍ୟ ରହିଛି । ତେବେ ଏହା କୋଭିଡ ଟୀକାକରଣର ଅବ୍ୟବସ୍ଥା ନା ଆଉ କିଛି ? ମୃତ୍ୟୁ ହେବାର 10 ମାସ ବିତି ଯାଇଥିଲେ ମଧ୍ୟ ଗତ ୨୧ ତାରିଖ କୋଭିଡ୍ ଟିକାର ଦ୍ବିତୀୟ ଡୋଜ ସଫଳତାର ସହ ନେଇଥିବାର ପ୍ରମାଣ ପତ୍ର ଜାରି ହୋଇଛି । ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।
ସୂଚନାଅନୁଯାୟୀ ଝାରସୁଗୁଡା ସହରଠାରେ ରହୁଥିବା ଲିଲା ସୋନି ୮୮ ବର୍ଷ ଗତ ୧ ଅପ୍ରିଲ ୨୦୨୧ରେ ମୃତ୍ୟୁବରଣ କରିଥିଲେ । ୨୦୨୧ ମାର୍ଚ୍ଚ ୩ ତାରିଖ ସେ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ । ହେଲେ ଗତ ୨୧ ଜାନୁଆରୀରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ମେସେଜ ଆସିଛି । ଯେଉଁଥିରେ ସେ କୋଭିସିଲ୍ଡର ଦ୍ଵିତୀୟ ଡୋଜ୍ ସଫଳତାର ସହ ନେଇଥିବା ଦର୍ଶାଯାଇଛି । ଦ୍ବିତୀୟ ଡୋଜର ପ୍ରମାଣପତ୍ର ମଧ୍ୟ ଇସ୍ୟୁ ହୋଇଛି । ଏଭଳି ଘଟଣାରେ ମୃତକଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
ଏନେଇ ମୃତ ମହିଳାଙ୍କ ନାଁରେ ମୃତ୍ୟୁ ପରେ ଦ୍ବିତୀୟ ଡୋଜ୍ ଟୀକାକରଣର ଏଭଳି ସାର୍ଟିଫିକେଟ ଇସ୍ୟୁ ହେବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସଂପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡୋଳାମଣି ପଟେଲଙ୍କୁ ପଚରାଯିବାରୁ ସେ କହିଛନ୍ତି। ଏ ସବୁ online entry କରାଯାଉଛି କେଉଁଠି କିଛି ତ୍ରୁଟି ଯୋଗୁଁ ଏପରି ହୋଇଥାଇପାରେ ତଥାପି ଏହାର ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି l
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ