ଝାରସୁଗୁଡା: ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କଲେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା। ବୁଧବାର ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଶିଳ୍ପ ବିଭାଗ ସଚିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ସହ ପ୍ରତ୍ୟେକ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଅଧିକ ଯତ୍ନବାନ ହେବାକୁ ବୈଠକରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେମନ୍ତ ଶର୍ମା ।
ସମନ୍ବିତ ଶିଶୁ ବିକାଶ ଯୋଜନା, ଗ୍ରାମୀଣ ଆବାସ ଯୋଜନା, କମ୍ୟୁନିଟି ଲିଫ୍ଟ ଇରିଗେସନ, ନିରାମୟ ଯୋଜନା, ଶ୍ରମ ବିଭାଗର ବିଭିନ୍ନ ଯୋଜନା, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଓଡ଼ିଶା ଜୀବିକା ମିଶନ, ସହରାଞ୍ଚଳ ବିକାଶ(ମୁକ୍ତା) ଯୋଜନା ଓ ହାଉସିଂ ଯୋଜନାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝିବା ସହ ପ୍ରକୃତ ହିତାଧିକାରୀମାନେ ଯେପରି ଯୋଜନାରୁ ବଞ୍ଚିତ ନ ହେବେ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ।
ଏହା ମଧ୍ୟ ପଢନ୍ତୁ-ରାୟଗଡାରେ କାଳବୈଶାଖୀ ତାଣ୍ଡବ: ଜଣଙ୍କ ଜୀବନ ଗଲା, ଗଛ ଭାଙ୍ଗି 3 ଘଣ୍ଟା ଅଟକିଲା ଡିଏମୟୁ ଟ୍ରେନ
ସେହିପରି ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା, କୃଷି ଓ କୃଷକର ରୋଜଗାର ବୃଦ୍ଧି, ପାନୀୟ ଜଳ ଯୋଗାଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ନେଇ ସମୀକ୍ଷା କରାଯାଇଥିଲା । ଏଥିସହ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କିତ ପରିଚାଳନା, ଜୀବିକା ମିଶନ ମାଧ୍ୟମରେ ମାଛ ଚାଷ, କୃଷି, ସିଲେଇ, ଗୋପାଳନରୁ ଆୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରି ପ୍ରମୁଖ ସଚିବ ପ୍ରତ୍ୟେକ ପ୍ରକଳ୍ପ ଓ ଯୋଜନାର ଅଗ୍ରଗତି ପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ପ୍ରକଳ୍ପ ଓ ଯୋଜନା ଅଗ୍ରଗତି ସମ୍ପର୍କରେ ପ୍ରମୁଖ ସଚିବଙ୍କୁ ଅବଗତ କରାଇଥିଲେ । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କ ସମେତ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରମୁଖ ସଚିବ ପ୍ରକଳ୍ପ ଓ ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।
ଇଟିଭି ଭାରତ, ଝାରସୁଗୁଡା