ଝାରସୁଗୁଡ଼ା: ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁପାଳନ ନେଇ ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କର ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।

ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ ମେ' ୨୯ ତାରିଖ ସନ୍ଧ୍ୟା ୬ଟା ପରେ ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ବନ୍ଦ ରଖାଯିବ । କୌଣସି ପ୍ରାର୍ଥୀ କିମ୍ବା ଦଳ ଅନ୍ୟକୁ ଆକ୍ଷେପ ନକରିବା ସହିତ ନିର୍ବାଚନକୁ ନେଇ କୌଣସି ଉତ୍ତେଜନା ସୃଷ୍ଟି ନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ପରିଚାଳନା ପାଇଁସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପୂର୍ବକ ଅତିରିକ୍ତ ପୁଲିସ ବଳ ମୁତୟନ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସମ୍ପର୍କରେ ସି-ଭିଜିଲ୍ ଜରିଆରେ ଅଭିଯୋଗ ଗ୍ରହଣ କରାଯିବ । ଅଭିଯୋଗର ୯୦ ମିନିଟ ମଧ୍ୟରେ ଘଟଣା ସ୍ଥଳରେ ସ୍କ୍ବାର୍ଡ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେହିପରି ତିନିଟି ବୁଥ୍ ସ୍ଥାନାନ୍ତରଣ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ପୂର୍ବରୁ ସମଡ଼ାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ବୁଥ୍ ନମ୍ବର ୧୪୩କୁ ବେଲପାହାଡ଼ର କୁର୍ମିପଡ଼ାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଥ୍ ନମ୍ବର ୧୪୩(କ) କରାଯାଇଛି । ସେହିଭଳି ତେଲେନପାଳିସ୍ଥିତ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ଥିବା ବୁଥ୍ ନମ୍ବର ୨୧୫ ଓ ୨୧୬କୁ ସ୍ଥାନାନ୍ତର କରି ତେଲେନପାଲିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଥ୍ ନମ୍ବର ୨୧୫(କ) ଏବଂ ୨୧୬(କ) କରାଯାଇଥିବା ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ ।
ତେବେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନ, ବିଜୁ ଜନତା ଦଳର ପ୍ରତିନିଧି ଶ୍ୟାମସୁନ୍ଦର ଶତପଥୀ, ଭାରତୀୟ ଜନତା ଦଳ ତରଫରୁ ସନ୍ତୋଷ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ମନୀଷ ବାଜପାଇ, ସିପିଆଇର ସାରଙ୍ଗଧର ମିଶ୍ର, ହିନ୍ଦୁସ୍ଥାନ ନବନିର୍ମାଣ ପାର୍ଟିର ତରୁଣ ଜାମଡାଳିଆ ଓ ସ୍ବାଧିନ ପ୍ରାର୍ଥୀ ସୀତାରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା