ଝାରସୁଗୁଡା: ଆଗମୀ ପଞ୍ଚାୟତ ନିର୍ବାଚନରେ (Panchayat Election in Odisha) ଝାରସୁଗୁଡାର ୯ଟି ଯାକ ଜିଲ୍ଲା ପରିଷଦ ଆସନ BJD ହାତେଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଝାରସୁଗୁଡା ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆଜି(ଗୁରୁବାର) ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ନବ ଦାସ ୯ରୁ ୯ ଜିଲ୍ଲା ପରିଷଦ ଆସନ ଜିତିବୁ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଏକ ଶକ୍ତ ଧକ୍କା ହୋଇଥିଲେ ହେଁ ନବୀନ ପଟ୍ଟନାୟକଙ୍କ ନିତୀ ଏବଂ ଆଦର୍ଶରେ ଆଗମୀ ନିର୍ବାଚନ ଲଢାଯିବ । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୂଖୀ କାର୍ଯ୍ୟ ଲୋକଙ୍କୁ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳ ସହ ବାନ୍ଧି ରଖିଛି । ତେଣୁ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଝାରସୁଗୁଡା ଜିଲ୍ଲାର ୯ଟି ଯାକ ଜିଲ୍ଲାପରିଷଦ ଆସନରେ ବିଜୟୀ ହେବ । ଅନ୍ୟପଟେ ଆଜି ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ଲଖନପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସନତ ସିଂ ଓ ତାଙ୍କ ସାଥୀମାନେ ବିଜେଡିରେ ଆନୁସାଙ୍ଗିକ ଭାବରେ ଯୋଗଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳରେ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ