ଝାରସୁଗୁଡା: ପୁଣି ସାମ୍ନାକୁ ଆସିଲା ନର୍ସିଂହୋମର କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗ । ଜିଲ୍ଲାରେ 3 ନର୍ସିଂହୋମକୁ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ପରେ 3 ନର୍ସିଂହୋମକୁ ସିଲ କରାଯାଇଛି ।
ତେବେ ଝାରସୁଗୁଡା ସହରରେ ଥିବା ଏହି 3ଟି ନର୍ସିଂହୋମ ହେଲା ଅଗ୍ରୱାଲ ନର୍ସିଂହୋମ, ଆରକେ ମଲଟିକେୟାର ହୋମ, ଲକ୍ଷ୍ୟ କେୟାର । ଏହି ନର୍ସିଂହୋମ ଗୁଡିକୁ ସିଲ କରାଯିବା ପରେ ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ମାନଙ୍କରେ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି । କୋଭିଡ19 ଗାଇଡ ଲାଇନ୍ ସଠିକ ଭାବେ ପାଳନ ହେଉଛି କି ନାହିଁ, ସେନେଇ ଜୋରଦାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଝାରସୁଗୁଡା ଜିଲ୍ଲା ପ୍ରଶାସନର କୋଭିଡ଼ ମାଜିଷ୍ଟ୍ରେଟ ଗୋଲଖ ବିହାରୀ ମଙ୍ଗରାଜ ନେତୃତ୍ବରେ ଟାଉନ ଥାନାଧିକାରୀ ସହ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ରହିଛନ୍ତି ।
ତେବେ ସହରର ଥିବା ଲକ୍ଷ୍ୟ କେୟାର ଆଣ୍ଡ କିଓର, ମଙ୍ଗଲବଜାର ରୋଡ଼ ସ୍ଥିତ ଅଗ୍ରୱାଲ ନର୍ସିଂ ହୋମ ଏବଂ ଆରକେ ମଲ୍ଟିକେୟାର ପରି ଝାରସୁଗୁଡା ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ-19 ଗାଇଡଲାଇନ୍ ନିୟମ ଉଲଙ୍ଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଘରୋଇ ନର୍ସିଂହୋମ ଗୁଡ଼ିକରେ ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ସେହି ସ୍ଥାନକୁ ସଠିକ୍ ଭାବେ ସାନିଟାଇଜ କରାଯାଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହୋଇଛି । ଏହି ଯାଞ୍ଚରେ ଯେଉଁ ନର୍ସିଂହୋମ ନିୟମ ଉଲଂଘନ କରିଛନ୍ତି ତାକୁ ସିଲ କରାଯାଇଛି ଏବଂ ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ନନ୍ଦ, ଇଟିଭି ଭାରତ