ଯାଜପୁର: ବକେୟା ଦରମା ପାଇବା ନେଇ ବ୍ୟାସନଗର ପୌରନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଶତାଧିକ ସଫେଇ କର୍ମଚାରୀ । ଠିକା ସଂସ୍ଥା ସଫେଇ କର୍ମଚାରୀମାନଙ୍କୁ ଦେଢ଼ ମାସର ବକେୟା ଦରମା ଓ ବିଭିନ୍ନ ସୁରକ୍ଷା ସାମଗ୍ରୀ ଦେଉନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଆଜି ସକାଳୁ ସଫେଇ କର୍ମଚାରୀ ମାନେ ପୌରନିର୍ବାହୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସମସ୍ୟାର ସମାଧାନ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ସଫେଇ କର୍ମଚାରୀ । ତେବେ ଏ ନେଇ ନିର୍ବାହୀ ଅଧିକାରୀଙ୍କୁ ଦାବୀ ଜଣାଇଲେ ମଧ୍ୟ ସେ ଦୁର୍ବ୍ୟବହାର କରିଥିବା ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ । ଆଗାମୀ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେବାପରେ ସଫେଇ କର୍ମଚାରୀ ଆନ୍ଦୋଳନରୁ ଓହରିଛନ୍ତି ।
ଇଟିଭି ଭାରତ, ଯାଜପୁର