ଯାଜପୁର: ଦୀର୍ଘ 3 ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ମୃତ ମହିଳା ହେଲେ କବିତା ବରାଳ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ରତଳାଙ୍ଗ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାନୁସାରେ, ଯାଜପୁର ସଦର ଥାନା ସିମିଳିଆ ଗ୍ରାମର ଚୈତନ୍ୟ ବରାଳଙ୍କ ଝିଅ କବିତା 3 ବର୍ଷ ତଳେ ରତଳାଙ୍ଗ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରିଥିଲେ । କବିତାଙ୍କ ସ୍ବାମୀ ତାଙ୍କ ଭାଉଜଙ୍କ ସହ ଅନୈତିକ ସମ୍ପର୍କଥିବା କାରଣରୁ ଶାଶୁଘର ଲୋକେ ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେଉଥିଲେ । ଏହି ନିର୍ଯ୍ୟାତନା ସହି ନପାରି କବିତା ଗତ ୧୦ ତାରିଖ ସନ୍ଧ୍ୟାରେ କେଉଁଆଡେ ଚାଲିଯାଇଥିଲେ । ଝିଅ ନିଖୋଜ ହେବା ଘଟଣା ଶାଶୁ ଘର ଲୋକ ତାଙ୍କ ଝିଅ ଘରକୁ ଜଣାଇଲା ପରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଗତ 11 ତାରିଖରେ ବିଞ୍ଝାରପୁର ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ହୋଇଥିଲା ।
ଶୁକ୍ରବାର ସକାଳେ ଗ୍ରାମ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଛି । ସ୍ବାମୀ ସମେତ ଶାଶୁଘର ଲୋକେ ମିଳିମିଶି ମାରି ପୋଖରୀରେ ଫିଙ୍ଗି ଦେଇଥିବା କବିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ବିଞ୍ଝାରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ