ଯାଜପୁର: ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କ ଜୀବନ ଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମପଞ୍ଚାୟତ ବରେଇ ଗ୍ରାମରେ । ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁବରଣ କଲେ ମହିଳା ।
ସୂଚନା ଅନୁଯାୟୀ ବରେଇ ଗ୍ରାମର ବିଜୟ ଜେନା ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଉକ୍ତ ଗ୍ରାମରେ ଚୋରା ମଦ କାରବାର କରିଆସୁଥିଲା । ତେବେ ଉକ୍ତ ଚୋରା ମଦ କାରବାରକୁ ବିରୋଧ କରିଥିଲେ ଗ୍ରାମର କିଛି ମହିଳା । ଏହି ବିରୋଧକୁ କେନ୍ଦ୍ର କରି ମଙ୍ଗଳପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଚୋରା କାରବାର ଉପରେ ରୋକ ଲଗାଇଥିଲା ପୋଲିସ । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବିଜୟ ରବିବାର ଦିନ ଲକ୍ଷ୍ମୀ ଜେନା ଙ୍କୁ ମରାଣାନ୍ତକ ଆକ୍ରମଣ କରିବା ସହ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲା । ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ଅଧିକ ଚିକତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ରାତିରେ ଲକ୍ଷ୍ମୀ ମେଡିକାଲରେ ମୃତ୍ୟୁ ବରଣ କରିବାର ଖବର ପାଇ ମଙ୍ଗଳପୁର ଥାନା ଆଇଆଇସି ଅସିତ ରଂଜନ ମହାନ୍ତି ଅଭିଯୁକ୍ତ ବିଜୟ କୁ ବିଳମ୍ବିତ ରାତ୍ରିରେ ଗିରଫ କରିଛି ।
ଅନ୍ୟ ପଟରେ ଏହି ଚୋରା ମଦ କାରବାର ବିରିପଟା ଗ୍ରାମର ଅଶ୍ୱିନୀ ସେନାପତି ନାମକ ଜୈନେକ ବ୍ୟକ୍ତି ଙ୍କ ପ୍ରରୋଚନା ତଥା ସହଯୋଗରେ ହେଉଥିବାରୁ ତାଙ୍କୁ ମଧ୍ୟ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ