ଯାଜପୁର: ପାରିପାରିକ କଳହର କରୁଣ ପରିଣତି । ସ୍ତ୍ରୀ ପୋଛିଲା ନିଜ ମଥା ସିନ୍ଦୁର । ସ୍ବାମୀକୁ ହତ୍ୟା କରି କାଟିଲା ଗୁପ୍ତାଙ୍ଗ ! ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ଯେଉଁଠି ସ୍ବାମୀକୁ ଅତି ନୃଶଂସ ଭାବରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଘଟଣା ପରେ ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସର ଅନୁସନ୍ଧାନ ଜାରି ରଖିଛି । ପତିପତ୍ନୀଙ୍କ ମଧ୍ୟରେ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳେ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ବ୍ୟକ୍ତିଙ୍କ ମୃତଦେହ । କେନାଲ ପାଖ ଜଙ୍ଗଲରେ ମୃତଦେହଟି ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଯୁବକଙ୍କ ଗୁପ୍ତାଙ୍କ ଛେଦନ କରାଯାଇ ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତି ସ୍ଥାନୀୟ ପୁବଳ ଗ୍ରାମର ଗଙ୍ଗାରାମ ଚାମ୍ପିଆଙ୍କ ପୁଅ ରାଜୁ ଚାମ୍ପିଆ ବୋଲି ଜଣାପଡିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ରାଜୁକୁ ତାର ସ୍ତ୍ରୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ମୃତକଙ୍କ ବାପା ମା ଓ ପରିବାର ଲୋକେ ଦାବି କରିଛନ୍ତି । ସେପଟେ ମୃତଦେହକୁ ଯାଞ୍ଚ କରିବା ପରେ ବ୍ୟବଚ୍ଛେଦ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ରାଜୁର ସ୍ତ୍ରୀଙ୍କ ସମ୍ପୃକ୍ତି ଥିବା ପୋଲସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଜୁର ମୁଣ୍ଡକୁ ଠେଙ୍ଗାରେ ପିଟି ବା ପଥରରେ ଛେଚି ହତ୍ୟା କରାଯାଇଛି । ପରେ ତାର ଗୁପ୍ତାଙ୍ଗ କଟାଯାଇ ଫିଙ୍ଗାଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଘଟଣାର ତଦନ୍ତ ଜାରିରହିଥିବା କଳିଙ୍ଗନଗର ଅତିରିକ୍ତ ଏସପି ସିଲଭେରିଅସ ଟପ୍ପୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ଜଣେ ସ୍ତ୍ରୀ କାହିଁକି ତାର ସ୍ବାମୀକୁ ହତ୍ୟା କଲା ? ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ? ହତ୍ୟାକାଣ୍ଡର ପୁରା ରହସ୍ୟ କଣ ରହିଛି ? ଏସବୁର ଉତ୍ତର ଖୋଜୁଛି ପୋଲିସ ।
ଇଟିଭି ଭାରତ, ଯାଜପୁର