ଯାଜପୁର: ସାରା ରାଜ୍ୟରେ ଏବେ କୋରୋନା ଆତଙ୍କ। ଲକଡାଉନ୍ ଯୋଗୁଁ ବଜାର ଘାଟ ଶୂନଶାନ୍ । ସବୁକିଛି କିଛି ଖାଁ ଖାଁ ପରି ଲାଗୁଛି । ଲୋକମାନେ ତ ଯାହା ଯେମିତି ଚଳିଯାଉଛନ୍ତି । ହେଲେ ନିରୀହ ଗୋରୁଗାଈ ଛେଳିମେଣ୍ଢା ଆଦି ଗୃହପାଳିତ ପଶୁ ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ଦୁଃଖ ବୁଝିବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସ୍ବେଚ୍ଛାସେବୀ ଯୁବକ।
ଯୁବକଙ୍କ ନାମ ଆନନ୍ଦ ଚକ୍ରବର୍ତ୍ତୀ । ଆନନ୍ଦ ହେଉଛନ୍ତି ଯାଜପୁର ରୋଡ ଅଞ୍ଚଳର ଜଣେ କ୍ଷୁଦ୍ର ବ୍ୟବସାୟୀ । ପ୍ରତିଦିନ ଆନନ୍ଦ ସକାଳୁ ସକାଳୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ସଂଗ୍ରହ କରିଥାନ୍ତି । ନିଜର ଥିବା ଅଟୋରେ ପରିବା ମାର୍କେଟରୁ ପରିବା ଓ ପରିବା ଚୋପା, ଗାଁ ଗଣ୍ଡାରୁ ଛଣ ନଡା ଓ ଘାସ ଆଦି ସଂଗ୍ରହ କରି ଛକ ଛକରେ ଗୋରୁ ଗାଈଙ୍କୁ ଖାଇବାକୁ ଦେଉଛନ୍ତି ।
ଖାଦ୍ୟ ସହିତ ସେମାନଙ୍କୁ ପାଣି ମଧ୍ୟ ପିଆଉଛନ୍ତି । ଲକଡାଉନ୍ ଘୋଷଣା ହେବା ଦିନଠୁଁ ସେ ବ୍ୟାସନଗର ସହରାଞ୍ଚଳରେ ରାସ୍ତାଘାଟ ଓ ବଜାର ଅଞ୍ଚଳରେ ନିରନ୍ତର ଭାବେ ଏହି ସେବା ଯୋଗାଇ ଆସୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ