ଯାଜପୁର: ଆଗାମୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ବାତ୍ୟା । ଜୱାଦକୁ ନେଇ ଭୟଭୀତ ହୋଇଛି ଚଷାପୁଅ। ଘର ସହ ଫସଲ ଉଜୁଡିବା ଚିନ୍ତା ନିଦ ଉଡେଇଲାଣି । କ୍ଷେତରେ ଅମଳ ଫସଲକୁ ସାଇତିବାରେ ଲାଗିପଡିଛନ୍ତି ଚୀଷୀ । ଯାଜପୁର ଜିଲ୍ଲାର ୧୦ ବ୍ଳକର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କଷ୍ଟ କରି ଅମଳ କରିଥିବା ଫସଲରୁ ପରିବାରର ସମସ୍ତେ ମିଶି ସାଇତିବାରେ ଲାଗି ପଡିଛନ୍ତି ।
ବର୍ତ୍ତମାନ ପାଖାପାଖି ୮୫ ଭାଗ ଧାନ ପାଚି ଯାଇଛି । ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ବାତ୍ୟାକୁ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଅପର ପକ୍ଷରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ଯେ ବର୍ଷା ପୂର୍ବରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିବା ପାଇଁ । ତରବରିଆ ହୋଇ ଚାଷୀ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି ।
କିଛି ଦିନ ପୂର୍ବେ ଯାଜପୁର ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଧାନ ନଷ୍ଟ ହୋଇଯାଇଥିଲା। ଯାହା କିଛି ବଞ୍ଚିଯାଇଛି ତାକୁ କିପରି ଅମଳ କରିବ ଚାଷୀ ତାକୁ ନେଇ ଏବେ ଚାଷୀକୂଳ । ଧାର କରଜ କରି ଚାଷୀ କରିଥିବା ଚାଷ ନଷ୍ଟ ହେଇଗଲେ କିପରି ପରିଶୋଧ କରିବ ସେ ଚିନ୍ତା ବି ଘାରିଛି । ସେପଟେ ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାବାସୀଙ୍କୁ ସଜାଗ ହେବା ସହିତ ବିଲରୁ ଶୀଘ୍ର ଧାନ ଅମଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗେଷ୍ଠୀ କୃଷି ଆଧିକାରୀ ଲାଷ୍ମୀଧର ସାହୁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ