ଯାଜପୁର: ନିଜ ସ୍ବାର୍ଥ ହାସଲ ପାଇଁ ମଣିଷ ଯେ କେତେ ନିଷ୍ଠୁର ହୋଇପାରେ ତାହା ଉଣା ଅଧିକ ସମସ୍ତେ ଜାଣିଛନ୍ତି । ଟଙ୍କା ଓ ସମ୍ପତ୍ତି ପାଇଁ ବାପା ମା’ଙ୍କୁ ନିଜ ପିଲାମାନେ କିଭଳି ଅକଥନୀୟ ଅତ୍ୟାଚାର କରନ୍ତି ତାହା ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ତେବେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା ରଣସରପୁର ଗାଁରେ । ସମ୍ପତ୍ତି ପାଇଁ ବାପାଙ୍କ ଉପରେ ୨ ପୁଅ ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି । ମୁଣ୍ତରେ ହାତ ଦେଇ ବସିଥିବା ଏହି ୭୦ ବର୍ଷୀୟ ବୃଦ୍ଧ ଜଣଙ୍କ ହେଉଛନ୍ତି ରଣସରପୁରର ଦେବେନ୍ଦ୍ର ମଲିକ।
ଦେବେନ୍ଦ୍ରଙ୍କ ଅଭିଯୋଗ ମୁତାବକ ଗତ ଅଢେ଼ଇ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୨ ପୁଅ ଅଛନ୍ତି । ତେବେ ଏହି ୨ ପୁଅ ସମ୍ପତ୍ତି ନେବାକୁ ତାଙ୍କ ଉପରେ କିଛିଦିନ ହେବ ନାନା ଅତ୍ୟାଚାର କରୁଛନ୍ତି । ୨ ପୁଅ ତାଙ୍କ ନାମରେ ସମ୍ପତ୍ତି କରି ନେବାକୁ ଦେବେନ୍ଦ୍ରଙ୍କ ଉପରେ ଚାପ ପକାଉଛନ୍ତି । କିନ୍ତୁ ଦେବେନ୍ଦ୍ର ଏହାକୁ ବିରୋଧ କରିବାରୁ ୨ ପୁଅ ତାଙ୍କୁ ମାଡ ମାରି ଘରୁ ବାହାର କରିଦେଇଛନ୍ତି । ଏବେ ଗାଁରେ ଜଣଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି ୭୦ ବର୍ଷିୟ ବୃଦ୍ଧ । କେହି ଦୟାରେ ଗଣ୍ଡେ ଖାଇବାକୁ ଦେଲେ ସେ ଖାଉଛନ୍ତି ନହେଲେ ଭୋକ ଉପାସରେ ତାଙ୍କ ଦିନ ବିତୁଛି ।
କାନ୍ଦି କାନ୍ଦି ଆଖିରୁ ଲୁହ ବି ଶୁଖି ଗଲାଣି । ଏନେଇ ଦେବେନ୍ଦ୍ର କୋରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ପୋଲିସ ପ୍ରଶାସନ ତୁରନ୍ତ ତାଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ