ଯାଜପୁର: ରାଜ୍ୟରେ ଲୁହାପଥର ପରିବହନକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଦେଖାଦେଇଛି ଅଶାନ୍ତି । ଭଡା ପ୍ରଦାନରେ ପରିବହନ ଠିକାଦାରମାନେ ଅନ୍ତର ପାନ୍ତର ନୀତି ଅବଲମ୍ବନ କରି ମାଲିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ଟ୍ରକ ମାଲିକ । ଏନେଇ ଆଜି (ଶନିବାର) ପାଣିକୋଇଲି ଟ୍ରକ ମାଲିକ ସଙ୍ଘ ପକ୍ଷରୁ ପାଣିକୋଇଲି କଲ୍ୟାଣମଣ୍ଡପ ଠାରେ ରାଜ୍ୟର ଟ୍ରକ ମାଲିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ଏଥିରେ ସୁନ୍ଦରଗଡ, କେନ୍ଦୁଝରରୁ ପାରାଦୀପ ଓ ଗୋପାଳପୁରକୁ ଲୁହାପଥର ପରିବହନ କ୍ଷେତ୍ରରେ ଠିକାଦାରମାନେ ମନଇଚ୍ଛା ଭଡା ଧାର୍ଯ୍ୟକୁ ବିରୋଧ କରି ଅଲ ଓଡିଶା ଟ୍ରକ ମାଲିକ ମହାସଙ୍ଘ ପକ୍ଷରୁ ଗୋଟିଏ ରାଜ୍ୟରେ ଗୋଟିଏ ଦର ଲାଗୁ କରିବାକୁ ଦାବି କରିଛନ୍ତି ।
ଆଉ ଏଭଳି ପରିସ୍ଥିତିରେ ଟ୍ରକ ମାଲିକମାନେ ଋଣ କରି ଗାଡି କିଣିଥିଲେ ମଧ୍ୟ ଋଣ ସୁଝିବାକୁ ଅସମର୍ଥ ହେଉଛନ୍ତି । ଯଦି ସରକାର ତୁରନ୍ତ ଏ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଟ୍ରକ ମାଲିକ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ