ଯାଜପୁର: ଅନ୍ଧବିଶ୍ବାସର ଅନ୍ଧଗଳିରେ ଆଜିର ମଣିଷ । ଗୁଣି ଗାରେଡି ସନ୍ଦେହରେ ପୁଣି ଏକ ଡବଲ ମର୍ଡର । ଘରେ ନିଆଁ ଲଗାଇ ବୃଦ୍ଧ ଦମ୍ପତିଙ୍କୁ ଜାଳିଦେଲେ ଗ୍ରାମବାସୀ । ଗିରଫ ଭୟରେ ଗାଁ ଏବେ ଜନଶୂନ୍ୟ । ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ ଗୁଣିଗାରେଡି ସନ୍ଦେହକୁ ନେଇ ଘଟିଛି ତିନି ତିନୋଟି ହତ୍ୟାକାଣ୍ଡ । ନିକଟରେ ଦାନଗଦୀ ବ୍ଲକ୍ ଓଲଳ ପଞ୍ଚାୟତ ଛତରା ଗାଁରେ ବୃଦ୍ଧାଙ୍କ ମୁଣ୍ଡଗଣ୍ଡି ଅଲଗା କରି ତାଙ୍କୁ ହତ୍ୟା କରିଥିଲା ଜଣେ ଯୁବକ । ହତ୍ୟା ପରେ କଟାମୁଣ୍ଡ ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଏବେ ପୁଣି କଳିଙ୍ଗନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ଘର ବାହାର ପଟୁ ଉଦ୍ଧାର ହୋଇଛି ବୃଦ୍ଧ ଦମ୍ପତିଙ୍କ ଦଗ୍ଧ ମୃତଦେହ । ଯାଜପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।
ଦମ୍ପତିଙ୍କ ଶରୀର ଜଳିପୋଡି ପାଉଁଶ ହୋଇଯାଇଛି । ଘରର ଆସବାସ ବି ଜଳିପୋଡି ନଷ୍ଟ ହୋଇଯାଇଛି । କେବଳ କୁହୁଳା ନିଆଁରୁ ବାହାରୁଛି ଧୂଆଁ । ଯାହା ଅନୁମାନ କରାଯାଏ ଗତକାଲି ବିଳମ୍ବ ରାତିରେ ହିଁ ଘଟିଛି ଏହି ଘଟଣା । ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦମ୍ପତିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସକାଳୁ ସକାଳୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କିଏ କାହିଁକି ଏପରି କାଣ୍ଡ କଲା ? ପୋଲିସ ଖୋଜୁଛି ତାର ସୁରାକ୍ । ଗୋଟିଏ ପଟେ ଗାଁଟି ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ହୋଇଯାଇଥିବା ବେଳେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ସେପଟେ ପୂର୍ବରୁ ବାପା ମାଙ୍କୁ ଗାଁ ଲୋକ ମାରିଦେବାକୁ ଧମକ୍ ଦେଉଥିଲେ । ସେମାନେ ବାପା ମା'ଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ କରିଛନ୍ତି ଦମ୍ପତିଙ୍କ ଝିଅ ଜ୍ବାଇଁ ।
ଗତ ପ୍ରାୟ ବର୍ଷକ ମଧ୍ୟରେ ଗାଁର କିଛି ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି । ନିକଟରେ ଜଣେ ଗାଡି ଚାଳକଙ୍କ ମଧ୍ୟ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିବା କୁହାଯାଇଛି । ଯାହାକୁ ନେଇ ଗ୍ରାମବାସୀ ଏହି ବୃଦ୍ଧ ଦମ୍ପତି ଗୁଣିଗାରେଡି କରିଥିବା ସନ୍ଦେହ କରିଥିଲେ । ତେବେ ରାତିଅଧିଆ କିଛି ଗ୍ରାମବାସୀ ବୃଦ୍ଧା ଦମ୍ପତିଙ୍କ ଘର ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସେମାନେ ଘରେ ନିଆଁ ଲଗାଇବା ସହ ଦମ୍ପତିଙ୍କୁ ନିଆଁରେ ଜାଳି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଯାଜପୁର ଏସପି ଘଟଣାସ୍ଥଳ ପରିଦର୍ଶନରେ ଆସିଥିବା ବେଳେ ଯାଜପୁର ଅତିରିକ୍ତ ଏସପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି । ତେବେ ଖୁବ୍ ଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚିତ ହେବ ବୋଲି ଏସପି କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ