ଯାଜପୁର: କୋରୋନା ମହାମାରୀ ପାଇଁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ 14 ଦିନ କାଟୁଛନ୍ତି ପ୍ରବାସୀ ଓଡିଆ । ଯାହାଙ୍କର ସମସ୍ତ ଦାୟିତ୍ବ ନେଉଛନ୍ତି ସ୍ଥାନୀୟ ସରପଞ୍ଚ । ଏଭଳି ସମୟରେ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରୁ ଭିନ୍ନ ଭିନ୍ନ ଚିତ୍ର ଆସୁଛି । କିଏ ପ୍ରବାସୀଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ବଳ ହେଉଛି ତ ଆଉ କିଏ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଜରି ରଖିଛନ୍ତି । ହେଲେ ଏପରି ଜଣେ ସରପଞ୍ଚ ଅଛନ୍ତି, ଯେକି ପାଖାପାଖି 2 ମାସ ହେବ ଘରଦ୍ବାର ଭୁଲି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।
ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଛତିଆ ନିକଟ ସୋଲର ପଞ୍ଚାୟତର ସରପଞ୍ଚ ନୀଳମଣି ରାଉତ । କୋରୋନା ଲଢେଇର ପ୍ରମୁଖ ଯୋଦ୍ଧା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି ସେ । ନିଜ ପଞ୍ଚାୟତକୁ ଫେରିଥିବା ପ୍ରବାସୀ ଓଡିଆଙ୍କ ସେବା କରିବାକୁ ନିଜକୁ ସମର୍ପି ଦେଇଛନ୍ତି । କୋରୋନା ପାଇଁ ଲକଡାଉନ ଜାରି ହେବା ଦିନ ଠାରୁ ସେ ଘରକୁ ଫେରିନାହାନ୍ତି ।
ପ୍ରତ୍ୟେକ ପ୍ରବାସୀ ଓଡିଆକୁ ସେ ନିଜର ଭାବି ତାଙ୍କର ଭଲମନ୍ଦ ବୁଝୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ରହି କୋରୋନାକୁ ପ୍ରତିହତ କରିବା ପାଇଁ ନିୟୋଜିତ ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ନିଜକୁ ସାମିଲ କରିଛନ୍ତି । ଲୋକମାନଙ୍କ ପାଇଁ ନିରନ୍ତର ଭାବେ ସେବାକୁ ବ୍ରତ ଭାବେ ଧରି ନେଇଛନ୍ତି ଏହି ଯୁବ ସରପଞ୍ଚ । ଘରେ ତାଙ୍କର ସ୍ତ୍ରୀ,ବୁଢୀ ମା ଓ ଛୋଟଛୋଟ ପିଲା ଥିଲେ ମଧ୍ୟ ବାହାରେ ରହି ସେମାନଙ୍କ କଥା ବୁଝୁଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଦୁଃଖ ଥିଲେ ମଧ୍ୟ ତାଙ୍କର ଏପରି ସେବା ମନୋଭାବକୁ ନେଇ ସେମାନେ ଗର୍ବ ଅନୁଭବ କରୁଛନ୍ତି ।
ପିପିଇ କିଟ୍ ପିନ୍ଧି ପ୍ରବାସୀଙ୍କୁ ସବୁ ପ୍ରକାର ସେବା ଯୋଗାଇ ଚାଲିଛନ୍ତି ସେ । ଏହାସହ ଗାଁ ଗାଁ ବୁଲି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି । ପ୍ରବାସୀଙ୍କୁ ନିଜ ପୁଅଝିଅ ଓ ଭାଇ ବନ୍ଧୁ ପରି ଦେଖିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ନୀଳମଣି ସୂଚାରୁରୂପେ ପାଳନ କରୁଛନ୍ତି । ଯେଉଁଥିଲାଗି ତାଙ୍କୁ ଜିଲ୍ଲାପାଳ ମଧ୍ୟ ପ୍ରଶଂସା କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ