ଯାଜପୁର : ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆଜି କ୍ୟାବିନେଟର ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି ।
ସେଥିମଧ୍ୟରୁ ଯାଜପୁର ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଜିଲ୍ଲାର ଯାଜପୁର, କୋରାଇ, ରସୁଲପୁର ଏବଂ ବିଞ୍ଝାରପୁର ଆଦି ୪ ଗୋଟି ବ୍ଲକର ୨୮୦ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଏହି ପ୍ରକଳ୍ପ ପାଇଁ ୨୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ସୁକିନ୍ଦା, କୋରାଇ, ଧର୍ମଶାଳା, ବରୀ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ । ଏହି ଅବସରରେ ଆଜି ବ୍ୟାସନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାଇ ବିଧାୟକ ଅଶୋକ ବଳ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ