ଯାଜପୁର: ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଦଣ୍ଡ ପୁଣି ଏମିତି ସେମିତି ନୁହେଁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଭାଙ୍ଗିଯାଇଛି ହାତ । ଏବେ ସେହି ହାତରେ କିଛି ବି ଲେଖିବା ଅସମ୍ଭବ । ଘଟଣାକୁ ମାସେ ବିତିବାକୁ ବସିଛି ହେଲେ ଛାତ୍ରଙ୍କୁ ଏ ଯାଏଁ ମିଳି ପାରିନାହିଁ ନ୍ୟାୟ। ଆମେ କହୁଛୁ ଯାଜପୁର ସୁକିନ୍ଦା ବ୍ଲକ ବନ୍ଧଗାଁ ଲାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପ୍ରଭାତ ପ୍ରଧାନଙ୍କ କଥା ।
ପ୍ରଭାତ ନ୍ୟାୟ ପାଇବା ପାଇଁ ଥାନାଠୁ ଆରମ୍ଭ କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସାରିଲେଣି। ହେଲେ ମାଡ ମାରିଥିବା ଶିକ୍ଷକ କିମ୍ବା ପିଅନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେପଟେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ। ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଛନ୍ତି।
ସାମାନ୍ୟ ଏକ ବହିକୁ ନେଇ ଜଣେ ଛାତ୍ରକୁ ମାଡ ମାରି ଗୁରୁତର ଆହତ କରିଛନ୍ତି ଶିକ୍ଷକ ଓ ବିଦ୍ୟାଳୟର ପିଅନ । ଏ ଘଟଣାରେ ଛାତ୍ରର କାନ୍ଧ ହାଡ ଭାଙ୍ଗି ଯାଇଛି । ସ୍ଥାନୀୟ ଗୋଡିସାହି ଗ୍ରାମର ଘନଶ୍ୟାମ ପ୍ରଧାନଙ୍କ ପୁଅ ପ୍ରଭାତ ପ୍ରଧାନ ଳାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ନିଜ ଶ୍ରେଣୀର ଜଣେ ସହପାଠୀଙ୍କ ଏକ ବହି ହଜିଯାଇଥିବା ବେଳେ ପ୍ରଭାତ ସେହି ବହିକୁ ପାଇଥିଲେ।
ଏହାକୁ ନେଇ ସ୍କୁଲର ଶିକ୍ଷକ ସନ୍ତୋଷ ସାହୁ ଏବଂ ପିଅନ ସୁନିଲ ମହାନ୍ତ କ୍ରିକେଟ ଷ୍ଟମ୍ପରେ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଛାତ୍ରଙ୍କ ବାପା ଆସି ତାକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତରୀ ମାଇନା ପରେ ଛାତ୍ରଙ୍କ ଡାହାଣ ପଟ କାନ୍ଧର ହାଡ ଭାଙ୍ଗିଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଲିଖିତ ହେବାକୁ ମାସେ ବିତିବାକୁ ବସିଥିବା ବେଳେ ଏ ଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଛାତ୍ର ଜଣକ ଏ ଯାଏଁ ସୁସ୍ଥ ହୋଇନଥିବାରୁ ଆଗକୁ ମ୍ୟାଟ୍ରିକ ପ୍ରିବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହେବେ।
ସେପଟେ ଛାତ୍ରଙ୍କ ପରିବାର ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାରେ ଭାରପ୍ରାପ୍ତ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଜଣାଇଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ