ଯାଜପୁର: ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କଟୁରୀ ଚୋଟରେ ମାଆ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲରେ ଭର୍ତ୍ତି କରିଛି। ଏ ଘଟଣାରେ ଅଭିଯୁକ୍ତ ପୁଅ ଟିମା ଦେହୁରୀକୁ ଥାନାରେ ଅଟକ ରଖାଯାଇଛି।
ଏହା ପୂର୍ବରୁ ଅନେକ ଥର ତାଙ୍କ ପରିବାରରେ କଳହ ଲାଗି ରହିଥିଲା। ଟିମାର ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ଅନେକ ଥର ଘରେ ସମସ୍ତଙ୍କୁ ପିଟାପିଟି କରିଥାଏ। ସୋମବାର ଦିନ 11ଟା ସମୟରେ ସେ ଏକ କଟୁରୀ ଧରି ସ୍ତ୍ରୀଙ୍କୁ ହାଣିବାକୁ ଗୋଡାଇ ଥିଲା।
ଏହି ସମୟରେ ଟିମାଙ୍କ ମାଆ, ତାଙ୍କୁ ଅଟକାଇବାରୁ ସେ ନିଜ ମା’ଙ୍କ ମୁଣ୍ଡରେ ମଧ୍ୟ ଏକ ଚୋଟ ପକାଇଥିଲା। ଫଳରେ ଉଭୟ ସ୍ତ୍ରୀ ଏବଂ ମା’ ଉଭୟେ ଆହତ ହୋଇଥିଲେ। ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିବା ସହ ଆହତଙ୍କୁ ଡାକ୍ତରଖାନାକୁ ପଠାଇଛନ୍ତି। ଏ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ