ଯାଜପୁର: ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରବାହ । ଡହଡହ ଖରାରେ ଭାଜି ହେଉଛନ୍ତି ଲୋକେ । ଏଥିରୁ ବର୍ତ୍ତି ପାରିନାହାନ୍ତି ପଶୁ ପକ୍ଷୀ। ପ୍ରବଳ ଖରା ଓ ଗରମ ଏବେ ବିରଳ ବାଦୁଡି ବଂଶ ପ୍ରତି ବିପଦ ସୃଷ୍ଟି କରିଛି । ଫଳରେ ୬ଟି ବାଦୁଡ଼ିଙ୍କର ମୃତ୍ୟୁ ହେଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କବାଟ ବନ୍ଧ ବଣିଆ ସାହିରେ ଗ୍ରୀଷ୍ମର ପ୍ରବାହ ଯୋଗୁଁ ବାଦୁଡିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ବରି ବନ ବିଭାଗ ପକ୍ଷରୁ ବାଦୁଡ଼ି ରହୁଥିବା ଗଛରେ ଜଳ ଛିଞ୍ଚନ କରାଯାଇଛି ।
ଆଜି ବରି ବନ ବିଭାଗ ଅଧିକାରୀ ଏମ. ଡ଼ି. ଶାକୀର ହୁସେନଙ୍କ ନେତୃତ୍ୱରେ ଏକ ଟିମ ଏବଂ ଗ୍ରାମବାସୀଙ୍କ ସହଯୋଗରେ ବାଦୁଡ଼ି ରହୁଥିବା ଗଛରେ ପାଣି ସିଞ୍ଚନ କରାଯାଇଛି । ସେପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ଜାରି ରହିଥିବାରୁ ବାଦୁଡିଙ୍କ ଉପରେ ଖରା ଦିନ ଶେଷ ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯିବା ବୋଲି ବନ ବିଭାଗ ସୂଚନା ଦେଇଛି l
ମିଳିଥିବା ସୂଚନା ଅନୁଯାୟୀ, ଆଜକୁ ବହୁ ବର୍ଷ ହେବ କବାଟବନ୍ଧ ବଣିଆ ସାହିରେ ଏହି ବାଦୁଡ଼ି ତିନୋଟି ବଡ଼ ଗଛରେ ରହି ଆସୁଥିଲେ । ବନ ବିଭାଗ ଅନୁଯାୟୀ ଏବେ ସେମାନଙ୍କର ସଂଖ୍ୟା ୫ ହଜାରରୁ ଅଧିକ ବୋଲି ଅନୁମାନ କରାଯାଇଛି । ବାଦୁଡିମାନେ ଅନେକ ବର୍ଷ ହେବ ଗାଁ ମୁଣ୍ଡରେ ଥିବା ବର, ଇନ୍ଦ ଓ ଓସ୍ତ ଗଛରେ ରହି ଆସୁଛନ୍ତି । ଶିକାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏମାନଙ୍କର ସଂଖ୍ୟା କମିକମି ଆସୁଛି ବୋଲି ସୁରକ୍ଷା ଦାୟିତ୍ୱ ନେଇଥିବା ବଣିଆ ସାହି ଗ୍ରାମବାସୀ କହିଛନ୍ତି । ବନବିଭାଗ ତଥା ରାଜ୍ୟ ସରକାର ଏହି ପ୍ରାଣୀର ସୁରକ୍ଷା ବ୍ୟବସ୍ଥା କଲେ ସଂଖ୍ୟା ବୃଦ୍ଧି ପାଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ପ୍ରତେକ ଦିନ ପ୍ରଚଣ୍ଡ ଖରାରୁ ଗରମ ଯୋଗୁଁ ବାଦୁଡିଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଚାରିଟି ଟ୍ରଷ୍ଟ ଆଳରେ କଳାରୁ ଧଳା ହେଉଥିଲା ଠକେଇ ଟଙ୍କା, ଅନଲାଇନ ପଞ୍ଜି ସ୍କାମରେ ଆଉ ଜଣେ ଗିରଫ
ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରବାହ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ରାଜ୍ୟର କିଛି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ଘରୁ ବାହାରିବାକୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଜରୁରି ସମୟରେ କେବଳ ବାହାରକୁ ବାହାରିବାକୁ ସରକାରଙ୍କ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ଯାଜପୁର