ଯାଜପୁର: କାଛୁକୁଣ୍ଡିଆ ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ତଡି ଦେଲେ ସ୍କୁଲ କର୍ତ୍ତୃପକ୍ଷ । ରାସ୍ତାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କଲା ଚାଇଲ୍ଡଲାଇନ । ଯାଜପୁର ଚିତାଳ ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା ।
ସୂଚନା ମୁତାବକ, ଏହି ବିଦ୍ୟାଳୟର ହଷ୍ଟେଲରେ ଛାତ୍ରମାନେ ରହୁଥିଲେ । ଗତ କିଛି ଦିନ ହେଲା ଛାତ୍ରଙ୍କ ଦେହରେ କାଛୁକୁଣ୍ଡିଆ ଭଳି ଚର୍ମ ରୋଗ ଦେଖିବାକୁ ମିଳିଥିଲା । ଏହା ଦେଖି ସ୍କୁଲ କର୍ତ୍ତୃପକ୍ଷ ସେହି ଛାତ୍ରଙ୍କୁ ଘରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଛାତ୍ରମାନେ ଚାଲିଚାଲି ବିରଜା ମନ୍ଦିର ନିକଟରେ ଯାଉଥିବା ଦେଖି କେତେକ ସେବାୟତ ଓ ସ୍ବେଚ୍ଛାସେବୀ ସେମାନଙ୍କୁ ଅଟକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।
ଏନେଇ ଚାଇଲଡ଼ ଲାଇନକୁ ଯୋଗାଯୋଗ କରିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଭଳି ଅବହେଳା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି । ସେପଟେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
ଇଟିଭି ଭାରତ, ଯାଜପୁର