ଯାଜପୁର: କୋରେଇ ବ୍ଳକର ବିଭିନ୍ନ ପଞ୍ଚାୟତରେ ଭାରିଯାନ ଦ୍ୱାରା ବାଲିଚାଲାଣ ପ୍ରତିବାଦରେ ସଂଗ୍ରାମ ସମିତି ପକ୍ଷରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କୋରେଇ ସଂଗ୍ରାମ ସମିତିର ଆବାହକ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା ବ୍ୟାସନଗର ପୌର ପରିଷଦର ଗୋପବନ୍ଧୁ ଛକରେ ଏକଜୁଟ ହେଇଥିଲେ । ଏଥିସହିତ ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ଦାବି ମୁତାବକ ବ୍ୟାସନଗର ଠାରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଜମିପ୍ରଦାନ,ବୈତରଣୀ ନଦୀରୁ ବେଆଇନ ବାଲି ଉଠାଣ ବନ୍ଦ କରିବା ଓ ମଥୁରାପୁର ଠାରୁ ଖଜୁରୀ ନାଲୁଆ ଗାଁ ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ କରି ଭାରିଯାନ ଗୁଡିକୁ ଚଲେଇବାକୁ ଅନୁମତି ଦେବା ଆଦି ୩ ଦଫା ଦାବିରେ ଧାରଣାରେ ବସି ରହିଛନ୍ତି ଶତାଧିକ ସଂଗ୍ରାମ ସେମିତିର ସଦସ୍ୟା ।
ତେବେ ଏହି ଦାବି ପୂରଣ ପାଇଁ ସଂଗ୍ରାମ ସମିତି ପକ୍ଷରୁ ବିଭିନ୍ନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ