ଯାଜପୁର: ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ବେଳେ ଯୁବକ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ମୃତକ କୌଶିକ ସାମନ୍ତ ବୋଲି ଜଣାପଡିଛି । ତେବେ ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅଭିଯୋଗ ମୁତାବକ ଯାଜପୁର ଟାଉନର କୌଶିକ ସାମନ୍ତ ବରଯାତ୍ରୀ ଦଳରେ ଭଦ୍ରକ ଯାଇଥିଲେ । ଘଟଣା ରାତିରେ ସେ ଆଉ ଘରକୁ ଫେରିନଥିଲେ । ପରଦିନ ଏକ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଭଦ୍ରକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।
ତେବେ ଯେଉଁ ମାନଙ୍କ ସହିତ କୌଶିକ ବରଯାତ୍ରୀ ଯାଇଥିଲେ ସେମାନେ କିଭଳି ଓ କାହିଁକି ତାଙ୍କୁ ନ ଆଣି ପଳାଇ ଆସିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ