ଯାଜପୁର : ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ପୋଲିସ୍ ହାତରେ ଲାଗୁଛି ଗୋଟେ ପରେ ଗୋଟେ ପ୍ରମାଣ । ଘଟଣା ଘଟିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଝରାଫୁଲ ମୃତଦେହ ଆଣି କୁଆଖିଆ ମୂଳାପାଳରେ ଫିଙ୍ଗିବା ସମୟର ବ୍ୟବହୃତ ସ୍କୁଟିକୁ ଭୁବନେଶ୍ବର ସୁନ୍ଦରପଦାରୁ ଉଦ୍ଧାର କରିଛି କୁଆଖିଆ ପୋଲିସ । ଗତକାଲି ଭୁବନେଶ୍ବର ଗେଷ୍ଟହାଉସ ଏବଂ ରେଷ୍ଟୁରାଣ୍ଟରେ ସ୍କ୍ରିନ୍ ରିକ୍ରିଏସନ୍ କରି ଫେରିବା ପରେ ପୋଲିସକୁ ଅଧିକ କିଛି ତଥ୍ୟ ମିଳିଥିବା ଆଶା କରାଯାଉଛି । ସେପଟେ ଅଭିଯୁକ୍ତ ରାକେଶର ଆଜି ରିମାଣ୍ଡର ଶେଷ ଦିନ ହୋଇଥିବାରୁ ପୋଲିସ୍ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ।
ତେବେ ଏପର୍ଯ୍ୟନ୍ତ କୁଆଖିଆ ଥାନାରେ ରାକେଶକୁ ଅଧିକ ସୂଚନା ପାଇଁ ପଚରାଉଚରା ଜାରି ରଖିଛି ପୋଲିସ । ସେପଟେ ସପ୍ତାହେ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଖୋଲି ନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିସହିତ ରାକେଶର ଜଣେ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇକୁ କୁଆଖିଆ ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ । ସପ୍ତାହେ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଖୋଲିବାରେ ପୋଲିସ୍ ବିଫଳ ହୋଇଛି । ଯାହାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ତଦନ୍ତ ଦାୟିତ୍ବରେ ଥିବା ଏସଡିପିଓ ଚିରାଚରିତ ଭାବେ କହୁଛନ୍ତି ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଏହାର ଖୁଲାସା ହେବ । ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା ଚଳାଇଛି କୁଆଖିଆ ପୋଲିସ୍ । ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ହଟୁଛି ପରଦା ଏବଂ କେବେ ମିଳୁଛି ମୃତା ଛାତ୍ରୀ ପରିବାରକୁ ନ୍ୟାୟ, ତାହା ଉପରେ ହିଁ ସମସ୍ତଙ୍କ ନଜର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ