ଯାଜପୁର: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣା। ଏହି ମାମଲାରେ ଯାଜପୁର ଜିଲ୍ଲା ବଡଚଣା ଥାନାସ୍ଥିତ ଧାନମଣ୍ଡଳ ଫାଣ୍ଡି ହାଜତରେ ଧରା ହୋଇଥିବା ଯୁବକଙ୍କ ଆଜି ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ, ବଡ଼ଚଣା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ମାହାଙ୍ଗା ଥାନା ସିନ୍ଧୁପୁର ଅଞ୍ଚଳର ଇଶ୍ଵର ସେଠୀଙ୍କୁ ଗିରଫ କରି ଧାନମଣ୍ଡଳ ହାଜତରେ ରଖିଥିଲା । ଆଜି ସକାଳୁ ହାଜତରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପଟାଲ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯାଜପୁର SDPO ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ଯୁବକ ଜଣକ ବେକରେ ଇଲେକ୍ଟ୍ରି ତାର ବାନ୍ଧି ସ୍କାଇଲାଇଟରେ ଝୁଲି ଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର । ମୃତକଙ୍କ ପରିବାରର ପକ୍ଷରୁ ଏହି ଘଟଣାକୁ ନେଇ ପୋଲିସକୁ ଦାୟୀ କରିବା ସହିତ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି l ସେପଟେ ବଡଚଣା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି l ଏହି ଘଟଣାକୁ ନେଇ ଆଜି ବଡ଼ଚଣା ଥାନାରେ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ରୋଡ SDPO l ତେବେ ନିୟମ ଅନୁଯାୟୀ ଜଣେ DSP ଏହି ଘଟଣାର ତଦନ୍ତ କରୁଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି SDPO ସୂଚନା ଦେଇଛନ୍ତି l
ଯାଜପୁର ରୋଡ ଏସଡିପିଇଓ ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି, "ମାହାଙ୍ଗା ଥାନା ନିକଟର ଇଶ୍ବର ସେଠୀଙ୍କୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ତଦନ୍ତ ନେଇ ତାକୁ ଫାଣ୍ଡି ହାଜତରେ ଆଣି ରଖାଯାଇଥିଲା । ସେ ଯେତେବେଳେ ଆତ୍ମହତ୍ୟା ଉଦ୍ୟମ କଲେ ତାଙ୍କୁ ସଙ୍ଗେସଙ୍ଗେ ଆମେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ଜଣେ ବରିଷ୍ଠ ଡିଏସପି ତଦନ୍ତ କରୁଛନ୍ତି ।"
ଇଟିଭି ଭାରତ, ଯାଜପୁର