ଯାଜପୁର: କୋରୋନା ସଂକ୍ରମଣ ଡରରେ କେହି ଛୁଇଁଲେନି ଅସହାୟ ବୃଦ୍ଧାଙ୍କ ମୃତଦେହ । ଶେଷରେ ପିପିଇ କିଟ ପିନ୍ଧି ମୃତଦେହକୁ ସତ୍କାର କଲା ସ୍ବେଚ୍ଛାସେବୀ ସଂଗଠନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗରରେ ।
ସୂଚନା ଅନୁଯାୟୀ ବ୍ୟାସନଗରସ୍ଥିତ ବସଷ୍ଟାଣ୍ଡ ପାଖରେ ଥିବା ଏକ କେବିନ କଡରେ ଏକ ଅସହାୟ ବୃଦ୍ଧାଙ୍କର ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିଲା । କୋରୋନା ଡରରେ କୌଣସି ବ୍ୟକ୍ତି ମୃତଦେହ ପାଖକୁ ଯାଉନଥିଲେ । ଶେଷରେ ଖବର ପାଇଁ ସହୀଦ ଭଗତ ସିଂ ଯୁବକ ସଂଘର କର୍ମକର୍ତ୍ତାମାନେ ଆସି ପହଞ୍ଚିଥିଲେ । ଅସହାୟ ବୃଦ୍ଧାଙ୍କର ସମ୍ପର୍କୀୟଙ୍କୁ ବହୁତ ଖୋଜାଖୋଜି କଲେ ବି କେହି ଆସିନଥିଲେ । ଶେଷରେ ପିପିଇ କିଟ ପିନ୍ଧି ସଂଘର କର୍ମକର୍ତ୍ତାମାନେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କାର୍ଯ୍ୟ ଆରମ୍ଭ କରିଥିଲେ ।
ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ବୃଦ୍ଧାଙ୍କର ମୃତଦେହକୁ କୋକେଇରେ ବାନ୍ଧି ମୁଣ୍ଡାମାଳ ସ୍ଥିତ ମଶାଣିରେ ନେଇଥିଲେ । ଯୁବକ ସଂଘର ସଭାପତି ମୁଖାଗ୍ନୀ ଦେଇ ମୃତଦେହକୁ ସତ୍କାର କରିଥିଲେ । ତେବେ ସହିଦ ଭଗତ ସିଂ ଯୁବକ ସଂଘର ଏଭଳି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ