ଯାଜପୁର: ଶ୍ରାବଣ ମାସର 2ୟ ସୋମବାର । ଏଭଳି ଦିନରେ ଶୂନଶାନ ହୋଇଯାଇଛି ଯାଜପୁରର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର । କେଉଁଠି ବି ଦିଶୁନି କାଉଡିଆଙ୍କ ଭିଡ । ଦିଶୁନାହିଁ ସେହି ଲମ୍ବା ଧାଡି । ପାହାଡ ପରିବେଷ୍ଟନୀ ଓ ସବୁଜ ବନାନୀର ସୁଶୋଭିତ ପରିବେଶ ମଧ୍ୟରେ ଏହି ପୀଠରେ ପୂଜା ପାଇଥାନ୍ତି ଆଦ୍ୟଦେବ ଗଣେଷଙ୍କ ସହ ମହାଦେବ, ପାର୍ବତୀ, ନାରାୟଣ ଓ ଭାଷ୍କର ଆଦି ପଞ୍ଚଦେବତା । ପ୍ରତିବର୍ଷ ଶ୍ରାବଣ ମାସର ପ୍ରତିଟି ସୋମବାର ଏଠାକୁ ଛୁଟିଥାଏ କାଉଡିଆଙ୍କ ସୁଅ । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ବୋଲବମ୍ ଭକ୍ତଙ୍କୁ ମନ୍ଦିରକୁ ଆସିବା କିମ୍ବା ଜଳଲାଗି କରିବାକୁ ବାରଣ ହୋଇଛି । ଏହାକୁ ନେଇ ଭକ୍ତଙ୍କ ଠାରୁ ଆରମ୍ଭ କରି ପୂଜକଙ୍କ ଯାଏ ସଭିଙ୍କ ଛାତି ଭିତରେ ଚାପି ହୋଇରହିଛି ଅନେକ ଦୁଃଖ ଓ କୋହ ।
କୋରୋନା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ସୃଷ୍ଟି କରିଛି ଅନ୍ତରାୟ । ଯାହାର ପରିଣାମ ପ୍ରତିଫଳିତ ହୋଇଛି ଯାଜପୁରର ପ୍ରସିଦ୍ଧ ଶୌବପୀଠ ମହାବିନାୟକ ମନ୍ଦିରରେ । ପ୍ରତିବର୍ଷ ଶ୍ରାବଣ ମାସର ପ୍ରତିଟି ସୋମବାର ଏହି ମନ୍ଦିର ହୋଇଉଠେ ଲୋକାରଣ୍ୟ । ହେଲେ ଏବର୍ଷ କୋରୋନା କଟକଣା ଯୋଗୁଁ ଏସବୁ ବ୍ୟତିକ୍ରମ ଘଟିଛି । ମନ୍ଦିରକୁ ବୋଲବମ୍ ଭକ୍ତଙ୍କୁ ପ୍ରବେଶ ମନା । ଫଳରେ ଶ୍ରାବଣ ମାସର 2ୟ ସୋମବାରେ ଏଠାରେ ନଥିଲା କାଉଡିଆଙ୍କ ଭିଡ । ପୂର୍ବ ବର୍ଷଗୁଡିକ ପରି ଦିଶୁନାହିଁ ଗୈରୀକଧାରୀ ହଜାର ହଜାର ସଂଖ୍ୟକ ସେହି କାଉଡିଆ ଭକ୍ତଙ୍କ ଲମ୍ବା ଧାଡି । ଶୂନଶାନ୍ ହୋଇଯାଇଛି ମନ୍ଦିର ପରିବେଶ । ପ୍ରତିବର୍ଷ ଏଠାକୁ ପାଣି ଭାର ଧରି ଜଳାଭିଷେକ କରିବାକୁ ଆସୁଥିବା ମାନସିକଧାରୀ ବୋଲବମ ଭକ୍ତଙ୍କ ମଧ୍ୟରେ ଅଜସ୍ର କୋହ ଓ ଦୁଃଖ । ମନରେ ଅନେକ ଅବଶୋଷ । ପୂଜକ ମାନେ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ । ସେମାନଙ୍କ ମନରେ ବି ଭରିରହିଛି ନୈରାଶ୍ୟତା । ସତରେ କେବେ ଦୂର ହେବ କୋରୋନାର ପ୍ରକୋପ । ଆଉ ତେବେ ଯାଇ ଦୂର ହେବ ଏହି ଭକ୍ତ ଭଗବାନଙ୍କ ମଧ୍ୟରେ ଜାରି ହୋଇଥିବା ବିଚ୍ଛେଦର କଟକଣା ଓ ଭକ୍ତ ମନର ବିରହ ବେଦନା ।
ପାହାଡ ପରିବେଷ୍ଟନୀ ଓ ସବୁଜ ବନାନୀର ସୁଶୋଭିତ ପରିବେଶ ମଧ୍ୟରେ ଶୋଭା ପାଉଛି 9ଶହ ବର୍ଷର ଏହି ପ୍ରାଚୀନତମ ମହାବିନାୟକ ମନ୍ଦିର । ଏହାର ସୁନ୍ଦର ପାକୃତିକ ପରିବେଶ ପ୍ରାୟ ସମଗ୍ର ରାଜ୍ୟରେ ବିରଳ । ଗମନାଗମନର ସୁବିଧା ଉପଲବ୍ଧ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରାବଣ ମାସରେ ଏଠାକୁ ବହୁ ଶ୍ରଦ୍ଧାଳୁ ବୋଲବମ୍ ଭକ୍ତଙ୍କ ଆଗମନ ହୋଇଥାଏ । ଏହି ମନ୍ଦିରରେ ଆଦ୍ୟ ଦେବତା ଗଣପତିଙ୍କ ସହ ଏକାବେଳକେ ପୂଜା ପାଇଥାନ୍ତି ପଞ୍ଚଦେବତା । ଏଠାରେ ଗଣେଷ, ନାରାୟଣ, ରୁଦ୍ର, ଭାଷ୍କର ଓ ଅମ୍ବିକାଙ୍କର ସାମୁହିକ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ବିଶ୍ବାସ ରହିଛି ଏଠାରେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ସବୁ ମନବାଞ୍ଛା ପୂର୍ଣ ହୋଇଥାଏ । ହେଲେ କୋରୋନା ଯୋଗୁଁ ଏଥର ସବୁକିଛି ଫସର ଫାଟିଯାଇଛି । ଜ୍ଞାନୀ ଗୁଣୀ ପଣ୍ଡିତଙ୍କ ଭାଷାରେ ଏହା ହେଉଛି ପ୍ରଭୁଙ୍କର ଲୀଳା । ଭଗବାନ ନିଶ୍ଚୟ ପତିତ ଜନଙ୍କୁ ଉଦ୍ଧାର କରିବେ । ମାନବ ସମାଜକୁ କୋରୋନା ବ୍ୟାଧିରୁ ମୁକ୍ତି ଦେବେ । ଆଗାମୀ ବର୍ଷକୁ ଅଗଣିତ ଭକ୍ତ ପୁଣି ପ୍ରଭୁଙ୍କ ଠାରେ ଜଳଲାଗି କରି ପ୍ରଭୁକୃପା ପ୍ରାପ୍ତ ହେବେ । ଆମକୁ ଧର୍ଯ୍ୟର ସହ ଏହାର ମୁକାବିଲା କରିବାକୁ ପଡିବ ।
କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ସମସ୍ତ ଦେବାଳୟରେ ଜାରି ହୋଇଛି କଟକଣା । ମହାବିନାୟକ ସମେତ ଜିଲ୍ଲାର ପ୍ରତ୍ୟେକ ଶୈବପୀଠରେ ବୋଲବମ୍ ଭକ୍ତମାନଙ୍କୁ ମହାଦେବଙ୍କ ଜଳାଭିଷେକ କରିବାକୁ ବାରଣ କରାଯାଇଛି । ଏଥିରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏବେ କେବଳ କୋରୋନାରୁ ମୁକ୍ତି ହିଁ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ