ଯାଜପୁର: 5ମାସ ତଳେ ଦେଶର ବଡ ବଡ ରୁଗଣ ଶିଳ୍ପସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଗଲା । ଏହି କ୍ରମରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ହେଲା । କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ବରେ ଥିବା ଏମ୍.ଏମ୍.ଟି.ସି. ଓ ଅନ୍ୟ 5 ଅଂଶୀଦାର ନିଜ ଦାୟିତ୍ବରୁ ଓହରି ଗଲେଣି । ଏଭଳି ସ୍ଥିତିରେ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି । ଚାରିଆଡେ ଲକଡାଉନ୍ ଓ ଅନଲକ୍ କଟକଣା ଜାରି ରହିଥିବା ବେଳେ ଗତ ପ୍ରାୟ 4ମାସ ହେବ କର୍ମଚାରୀଙ୍କୁ ଦରମା ମିଳୁନି । କେହି କେହି କର୍ମଚାରୀ ପରିବାର ପ୍ରତିପୋଷଣ ପାଇଁ ପରିବା ବିକିଲେଣି । ପ୍ରାୟ ବର୍ଷେ ହେବ ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ୍ ମେଲ୍ଟିଙ୍ଗ୍ ସପ୍ ବନ୍ଦ ରହିଥିବା ବେଳେ ଗତ ପ୍ରାୟ 2ମାସ ହେବ କୋକ୍ ଓଭେନ୍ ଓ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ସ୍ଥିତିରେ ରହିଛି ।
5ମାସ ତଳେ କେନ୍ଦ୍ର କ୍ୟାବିନେଟ୍ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବା ପରେ ଯାଜପୁର କଳିଙ୍ଗନଗରରେ ଏବେ ଜଳୁଛି ନିଆଁ । ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମ କାରଖାନାରୁ ଏମ୍.ଏମ୍.ଟି.ସି. ସମେତ 6ଟି ଅଂଶୀଦାର ସଂସ୍ଥା ପୁଞ୍ଜି ପ୍ରତ୍ୟାହାର କରିବା ପରେ କାରଖାନାର ଶ୍ରମିକ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି । ଫଳରେ କାରଖାନା ପାଇଁ ନିଜ ଭିଟାମାଟି ହରାଇଥିବା 450 ବିସ୍ଥାପିତ ପରିବାର ସମେତ ସହସ୍ରାଧିକ ଶ୍ରମିକ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । କାରଖାନାର ସ୍ଥାୟିତ୍ବକୁ ନେଇ ଚିନ୍ତାରେ ପଡିଛନ୍ତି କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ । ଧିରେ ଧିରେ ଗୋଟାକ ପରେ ଗୋଟିଏ ୟୁନିଟ୍ ବନ୍ଦ ହୋଇଚାଲିଥିବା ବେଳେ ଗତ ପ୍ରାୟ 4ମାସ ହେବ କର୍ମଚାରୀ ମାନେ ଦରମା ମଧ୍ୟ ପାଉନାହାନ୍ତି । ଚାରିଆଡେ ଲକଡାଉନ୍ ଓ ଅନଲକ୍ କଟକଣା ଜାରି ରହିଥିବା ବେଳେ କେହି କେହି କର୍ମଚାରୀ ପରିବାର ପ୍ରତିପୋଷଣ ପାଇଁ ପରିବା ବିକିଲେଣି । ପ୍ରଥମେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ୍ ମେଲ୍ଟିଙ୍ଗ୍ ସପ୍ ବନ୍ଦ ହୋଇଯାଇଥିବା ବେଳେ ଗତ ମାର୍ଚ୍ଚ 30ରୁ କୋକ୍ ଓଭେନ୍ ଓ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ବସିଛି । ସେପଟେ ମାତ୍ର କାରଖାନା ବନ୍ଦ ରହିଥିବାରୁ ସେମାନଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । କଥା ଘୋଷଣା କରିବା ପରେ ଚାରିଆଡେ ସନ୍ଦେହର ବଳୟ ସୃଷ୍ଟି ହୋଇଛି ।
କାରଖାନାର ସ୍ଥିତାବସ୍ଥା ବଜାୟ ରଖିବାକୁ ସରକାରଙ୍କ ନିକଟରେ ଆପତ୍ତି ଜଣାଇଛନ୍ତି ବସ୍ଥାପିତ ପରିବାର । କେବଳ ବିସ୍ଥାପିତ ନୁହଁନ୍ତି ହଜାର ହଜାର ଶ୍ରମିକ କର୍ମଚାରୀ ମଧ୍ୟ କାରଖାନାର ସାମ୍ପ୍ରତିକ ଅଚଳାବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି । ଏଭଳି ପରିସ୍ଥିତିରେ କର୍ମଚାରୀମାନେ ଦରମା ପାଉନଥିବା ବେଳେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇବେ ନାହିଁ ତ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିସ୍ଥାପିତ ପରିବାରଙ୍କ ସହିତ ଶ୍ରମିକ ଓ କର୍ମଚାରୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ କେନ୍ଦ୍ର ସରକାର ଅଧିକ ପୁଞ୍ଜି ବିନିଯୋଗ କରି କାରଖାନାର ପୁନଃରୁଦ୍ଧାର କରିବା ସହ କାରଖାନାର ସ୍ଥାୟୀତ୍ବ ଓ ଶ୍ରମିକ କର୍ମଚାରୀଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ ଦାବୀ ହୋଇଛି । ସେପଟେ ଏଥିପାଇଁ ଉଚ୍ଚ ସ୍ତରରେ ଆଳୋଚନା ଚାଲିଛି ଏବଂ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ । ଏଭଳି ସ୍ଥିତିରେ ଉଭୟ ଓଡିଶା ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ଆଗେଇ ଆସିବାକୁ ଆପତ୍ତି ଜଣାଇଛନ୍ତି କାରଖାନାର ସମସ୍ତ ଶ୍ରମିକ କର୍ମଚାରୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ