ଯାଜପୁର: ଲକଡାଉନକୁ ସଫଳ କରିବା ପାଇଁ ପୁରାଦମ୍ରେ ଲାଗିଛି ଯାଜପୁର ଜିଲ୍ଲା ପ୍ରଶାସନ । ଏନେଇ କିଛି ଠକ କର୍ମଚାରୀ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନଜର ଆସିବା ପରେ ଆକ୍ସନ ମୋଡରେ ଜିଲ୍ଲାପାଳ । ଏହି କ୍ରମରେ ସୋମବାର ଜିଲ୍ଲାରେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜଣେ ସହକାରୀ ବ୍ଲକ ଅଧିକାରୀଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲାପାଳ ।
ସେହିପରି ଦୁଇ ଜଣ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ନିଜେ ନିଲମ୍ବିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ସୋମବାର ଜିଲ୍ଲାପାଳ ବରୀ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡଃ ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।
ସେହିପରି କୋରୋନା ସହ ସଂଗ୍ରାମ ଚାଲିଥିବା ସମୟରେ ଯାଜପୁର ସିଡିପିଓ ସରିତା ନାୟକ ଏବଂ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ନରେଶ ଚନ୍ଦ୍ର ସାହୁ ଓ ସହଦେବ ମଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ଦାନଗଦି ବ୍ଲକର ଏବିଡିଓ ଅଜୟକୃଷ୍ଣ ଦ୍ବିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ