ଯାଜପୁର: ରାଜଧାନୀ ବିଜେବି ମହାବିଦ୍ୟାଳୟର ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା । ରୁଚିକାକୁ ନ୍ୟାୟ ଦାବିରେ ଜିଲ୍ଲାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ମୃତ୍ୟୁକୁ ୨ ସପ୍ତାହ ପୁରିଥିବା ବେଳେ ପୋଲିସ, ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ନୀରବ ବସିଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ଏହି ଘଟଣାରେ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ଯାଜପୁରରେ ନବ ନିର୍ମାଣର ସଂଗଠନ ସୁଦୃଢ଼ ଥିବା ବେଳେ ଆଜି ବନ୍ଦକୁ ଜିଲ୍ଲାରେ ବ୍ୟାପକ କରାଯାଇଛି । ଚଣ୍ଡିଖୋଲ ଠାରେ ଶହ ଶହ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଯାଜପୁର ମୁଖ୍ୟାଳୟରେ ନବ ନିର୍ମାଣର ଛାମୁଆ କର୍ମୀମାନେ ସହରର ଗାନ୍ଧୀଛକ ଠାରେ ରାସ୍ତା ଅବରୋଧ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଫଳରେ ବସ ଚଳାଚଳ ପ୍ରଭାବିତ ରହିଛି ।
କେବଳ ଯାଜପୁରରେ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଛାତ୍ରୀ ରୁଚିକାଙ୍କ ମୃତ୍ୟୁକୁ ୧୬ ଦିନ ବିତିଲାଣି ହେଲେ ପୋଲିସ ହାତ ଖାଲି । ଘଟଣାର ତଦନ୍ତ ପ୍ରକ୍ରିୟାରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୁଚିକା ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ।
ଇଟିଭି ଭାରତ, ଯାଜପୁର