ଯାଜପୁର: ବାହାନଗା ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଜୀବନ ନେଇଛି ଲୌହଦାନବ । ମାଲବାହୀ ଟ୍ରେନ ଚଢିଯିବାରୁ ଯାଜପୁରରେ ଚାଲିଯାଇଛି ୬ଜଣ ଶ୍ରମିକଙ୍କ ଜୀବନ। ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ ଚଢିଯିବା ଫଳରେ ଏହା ତଳେ କାଳବୈଶାଖୀ ଯୋଗୁଁ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ଚଢିଯାଇଛି ଟ୍ରେନ । ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଆଜି ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୁରା ଗାଁ ଶୋକରେ ବୁଡିଛି । ସେପଟେ ଏଥିଲାଗି ସ୍ଥାନୀୟ ଲୋକେ ରେଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦାବି କରିଛନ୍ତି ।
ଗତକାଲି ଯାଜପୁର ରୋଡ ରେଳ ଷ୍ଟେସନର ଅନତି ଦୂରରେ ଘଟିଥିଲା ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା । ଲୁପ୍ ଲାଇନରେ ଅଟକି ରହିଥିବା ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନର ବଗି କାଳବୈଶାଖୀର ପବନରେ ଶ୍ରମିକମାନଙ୍କ ଉପରେ ମାଡିଯାଇଥିଲା । ଏହି ଘଟଣାରେ ୬ ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଥିଲା । ଏବେ ବି ୨ ଜଣ କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ୬ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ମୃତକ ବନ୍ଦାଳୋ ପଞ୍ଚାୟତ ଗମ୍ଭାରିଆ ଅଞ୍ଚଳର ଗୌତମ ସାମଲ, ମାନସ ସାମଲ ହୋଇଥିବା ବେଳେ ଅନ୍ଯ ୩ ଜଣ ମୃତକ ବନ୍ଦାଳୋ ପଞ୍ଚାୟତ ବାଲିଆପାଳ ଗ୍ରାମର ପ୍ରଶାନ୍ତ ଜେନା, ଭୀମସେନ ଜେନା ଓ ସୁଶାନ୍ତ ଜେନା ବୋଲି ଜଣାପଡିଛି । ଜଣେ ମୃତକ ମୁକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ । ଗୁରୁତର ଭାବେ ଆହତ ହୋଇଥିବା ୨ ଶ୍ରମିକ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଅଞ୍ଚଳର ଅମର ସାହୁ ଓ ନବଘନ ବାରିକ ବୋଲି ସୂଚନା ମିଳିଛି । ସେପଟେ ଏହି ମୃତ ବ୍ୟକ୍ତିଙ୍କ ମର ଶରୀର ନିଜ ଜନ୍ମମାଟିରେ ପହଞ୍ଚି ଅନ୍ତିମ ସତ୍କାର ହୋଇଥିବା ସୂଚନା ମିଳିଛି l ତେବେ ଏହି ଘଟଣାକୁ ମୃତଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
ସେପଟେ ୬ ଜଣ ମୃତକଙ୍କ ମଧ୍ଯରୁ ଗତକାଲି ୫ ଜଣଙ୍କ ଅନ୍ତିମ ସତ୍କାର ହେଇଥିବା ବେଳେ ଆଜି ଗମ୍ଭାରିଆ ଗ୍ରାମର ଗୌତମ ସାମଲ ନାମକ ଜଣେ ମୃତ ବ୍ୟକ୍ତିଙ୍କର ମଧ୍ୟାହ୍ନରେ ଅନ୍ତିମ ସତ୍କାର କରାଯିବାର ସୂଚନା ରହିଛି । ତେବେ ଇଞ୍ଜିନ ନଥାଇ ଏଭଳି ଦୁର୍ଘଟଣା ଘଟିବା ଏଥିରେ ଏକା ବେଳକେ ୬ ଜଣ ନିରୀହ ଶ୍ରମିକଙ୍କର ଜୀବନ ଯିବା ନିହାତି ଦୁର୍ଭାଗ୍ଯଜନକ ବୋଲି କୁହାଯାଉଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଯେଉଁ ଅଧିକାରୀ ବା କର୍ମଚାରୀଙ୍କ ଦାୟିତ୍ବ ହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ରେଳବିଭାଗର ପଦାଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି l ତେବେ ଏହି ଘଟଣାର ଖବର ପାଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଦେଇଥିବା ସୂଚନା ମିଳିଛି l
ଏହା ବି ପଢନ୍ତୁ- ମାଲବାହୀ ଟ୍ରେନ୍ ଚଡ଼ି ୬ ଶ୍ରମିକ ମୃତ୍ୟୁ ଘଟଣା, ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା
ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା ହେଇଥିବା ବେଳେ ରେଳ ବିଭାଗ ପକ୍ଷରୁ କୌଣସି ସହାୟତା ଘୋଷଣା ନହେଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l ଏନେଇ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥ କହିଛନ୍ତି, "ରାଜ୍ୟ ସରକାର ମୃତକଙ୍କ ପରିବାର ଲାଗି ୫ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତେବେ କେନ୍ଦ୍ର ସରକାର କାହିଁକି ଏଯାଏଁ ସହାୟତା ରାଶି ଘୋଷଣା କରିନାହାନ୍ତି ? କଣ ଏମାନେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିନାହାନ୍ତି କି ? ତୁରନ୍ତ କେନ୍ଦ୍ର ସରକାର ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାନ୍ତୁ, ନଚେତ ଆଗାମୀ ଦିନରେ ଏହି ଅଞ୍ଚଳରେ ଚକ ଅଖ ବନ୍ଦ କରାଯିବ । ନଚେତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଡ଼ିତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ ।"
ଏହା ବି ପଢନ୍ତୁ- ଯାଜପୁରରେ ମାଲବାହୀ ବଗି ଚଢିବା ଘଟଣା, ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି
ଏହି ଘଟଣା ୨୦୦୯ ରେଳ ଦୁର୍ଘଟଣାର ପୁନରାବୃତ୍ତି ବୋଲି କୁହାଯାଉଛି । ୨୦୦୯ ମସିହା ଫେବୃଆରୀ ୧୩ରେ ଠିକ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେତେବେଳେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଯାଜପୁର ରୋଡ ରେଳ ଷ୍ଟେସନ ନିକଟସ୍ଥ ଚୂନଭାଟି ପ୍ଲଟ ଅଞ୍ଚଳରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ଏହି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ରେଳ ଯାତ୍ରୀ ମୃତ୍ୟୁବରଣ କରିଥିଲେ l ମାତ୍ର ଏଠାରେ ଏକ ମାଲବାହୀ ଟ୍ରେନ ଚଢିଯିବାରୁ ୬ ଜଣ ନିରୀହ ଶ୍ରମିକଙ୍କର ମୃତ୍ୟୁୁ ଘଟିଛି । ଯାଜପୁର ରୋଡ ରେଳଷ୍ଟେସନର ଅନତି ଦୂରରେ ଘଟିଥିଲା ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା । ସେପଟେ ଆଜି ସକାଳୁ ରେଳ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି l ତେବେ ଏଭଳି ମୃତ୍ୟୁ ଘଟଣାକୁ ନେଇ ସମସ୍ତ ପରିବାର ଭାଙ୍ଗିପଡ଼ିଥିବା ବେଳେ, ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l
ଇଟିଭି ଭାରତ, ଯାଜପୁର